ତଥାପି ଗୋପନ ରହିଛି ୧୯୬୨ ଯୁଦ୍ଧର ରହସ୍ୟ, ସୁଦକ୍ଷ ସାମରିକ ଅଧିକାରୀଙ୍କୁ ଉପହାସ କରିଥିଲେ ମେନନ୍

ନୂଆଦିଲ୍ଲୀ: ସ୍ବାଧୀନତା ପରର ଇତିହାସକୁ ଅଣଦେଖା କରିବା ଏବେ ସରକାରଙ୍କ ପାଇଁ ମହଙ୍ଗା ପଡ଼ୁଛି। ଉଦାହରଣ ସ୍ବରୂପ, ଐତିହାସିକ ନଥିପତ୍ରକୁ ଏଯାଏ ଅଣବର୍ଗୀଗୃତ କରି ସେସବୁକୁ ଜାତୀୟ ଅଭିଲେଖାଗାରକୁ ହସ୍ତାନ୍ତର କରାଯାଇନାହିଁ। ସେହିପରି ନେହରୁ ସ୍ମାରକୀ ସଂଗ୍ରହାଳୟ ଓ ପାଠାଗାରରେ ସଂରକ୍ଷିତ ଥିବା ଭି କେ କୃଷ୍ଣମେନନ୍ ପେପର୍ସ ସେମିତି ବନ୍ଧା ହୋଇ ଗବେଷକ କି ବିଦ୍ୟାର୍ଥୀମାନଙ୍କୁ ଉପଲବ୍‌ଧ କରାଯାଇପାରୁନାହିଁ। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ନେହରୁଙ୍କ କଥାରେ ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣମେନନ୍ ସୁଦକ୍ଷ ସାମରିକ ଅଧିକାରୀଙ୍କୁ ଉପହାସ କରିବା କଥା କାହିଁକି ଗୋପନ ରହିବ ବୋଲି ପ୍ରଶ୍ନ ଉଠିଛି। ତେବେ ଇତିହାସର ପୁନର୍ଲିଖନ ଅପେକ୍ଷା ଅତୀତର ସଫଳତା, ବିଜୟ ଓ ପରାଜୟରୁ ମଧ୍ୟ କିଛି ଶିକ୍ଷା କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ।

ଏ ପ୍ରସଙ୍ଗରେ ଭାରତୀୟ ସୀମା ଅନ୍ତର୍ଗତ ନର୍ଥ ଇଷ୍ଟ୍ ଫ୍ରଣ୍ଟିଅର୍ ଏଜେନ୍ସି(ନେଫା)ରେ ଚୀନ୍‌ର ଦାଦାଗିରି ସମ୍ପର୍କରେ ୧୯୫୯ ଅକ୍ଟୋବର ୮ରେ ତତ୍କାଳୀନ ଲେଫ୍ଟନାଣ୍ଟ୍ ଜେନେରାଲ୍ ଏସ୍‌ପିପି ଥୋରାଟ ସ୍ଥଳସେନା ମୁଖ୍ୟଙ୍କୁ ଦେଇଥିବା ରିପୋର୍ଟ ଗୁରୁତ୍ବ ରଖୁଛି। ପୂର୍ବରୁ କେବଳ ପାକିସ୍ତାନ ପଟୁ ସୀମାରେ ବିପଦ ରହିଛି ବୋଲି ଜଣାଥିବା ବେଳେ ଥୋରାଟଙ୍କ ରିପୋର୍ଟରେ ଚୀନ୍ ମଧ୍ୟ ସୀମାରେ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ଦର୍ଶାଇଥିଲେ। ମ୍ୟାକ୍‌ମୋହନ ରେଖାକୁ ଚୀନ୍ ଅନ୍ତର୍ଜାତିକ ସୀମାରେଖା ଭାବେ ନମାନିବା ଏବଂ ଲଦାଖ, ଉତ୍ତରପ୍ରଦେଶ ଓ ନେଫାର କିଛି ଅ଼ଞ୍ଚଳକୁ ନିଜର ବୋଲି ଦାବି କରୁଥିବା କଥା ସେଥିରେ ଉଲ୍ଲେଖ ଥିଲା। ତେବେ ପ୍ରତିରକ୍ଷାମନ୍ତ୍ରୀ ମେନନ୍‌ ଏହି ରିପୋର୍ଟକୁ ବାଏଁ ବାଏଁ ଉଡ଼ାଇ ତ ଦେଲେ, ଏପରିକି ଥୋରାଟଙ୍କୁ ଜଣେ ଆତଙ୍କସୃଷ୍ଟିକାରୀ ଓ ସଂଘର୍ଷପ୍ରେମୀର ଆଖ୍ୟା ଦେବାକୁ ମଧ୍ୟ ଭୁଲିନଥିଲେ। ଅବଶ୍ୟ ଚୀନ୍ ସହ ୧୯୬୨ ଯୁଦ୍ଧ ପରେ ଥୋରାଟଙ୍କ ଅନୁମାନ ଓ ଆକଳନ ଠିକ୍ ଥିଲା ବୋଲି ପ୍ରଧାନମନ୍ତ୍ରୀ ନେହରୁ ଅନୁଭବ କରିଥିଲେ। ଅବଶ୍ୟ ବିଳମ୍ବ ହେଲେ ମଧ୍ୟ ଭି କେ କୃଷ୍ଣମେନନ୍ ପେପର୍ସକୁ ସାର୍ବଜନୀନ କରିବା ଦରକାର। ଏହାଦ୍ବାରା ଜଣେ ଅହଙ୍କାରୀ ମନ୍ତ୍ରୀଙ୍କ ତ୍ରୁଟିରୁ ଆମେ କିଛି ଶିକ୍ଷା ଲାଭ କରିପାରିବା ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର