ସୋମବାର ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଆଲୋଚନାରେ ଭାଗ ନେଇପାରନ୍ତି ବିରୋଧୀ

ନୂଆଦିଲ୍ଲୀ: ଶୁକ୍ରବାର ଆଦାନି ଗ୍ରୁପ୍‌ର ବିରୋଧରେ ତଦନ୍ତ ଦାବି କରି ବିରୋଧୀ ଦଳଗୁଡ଼ିକ ସଂସଦ କାର୍ଯ୍ୟକୁ ଅଚଳ କରିଦେଇଥିବା ବେଳେ ସୋମବାର ଉଭୟ ସଦନର କାର୍ଯ୍ୟ ଅପେକ୍ଷାକୃତ ଭଲ ଭାବରେ ଚାଲିପାରେ ବୋଲି ଅନୁମାନ କରାଯାଉଛି। କାରଣ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ ଏବଂ ଏହି ଆଲୋଚନାରେ ବିରୋଧୀ ଦଳଗୁଡ଼ିକ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି।
ବିରୋଧୀ ଶିବିରରୁ ମିଳିଥିବା ଏକ ସୂଚନା ଅନୁସାରେ, ଉଭୟ ସଦନରେ ଆଲୋଚନାରେ ଭାଗନେବା ସପକ୍ଷରେ ଅଧିକାଂଶ ବିରୋଧୀ ସଦସ୍ୟ ଅଛନ୍ତି।

ତା’ହେଲେ ଆଦାନି ପ୍ରସଙ୍ଗ ସମେତ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ସେମାନେ ସୁଯୋଗ ପାଇବେ। ତେଣୁ ଅଧିକାଂଶ ଦଳ ଚାହାନ୍ତି, ସେମାନେ ସଂସଦ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କମ୍ କରିବେ ଏବଂ ସଂସଦ କାର୍ଯ୍ୟ ଚଳାଇ ରଖିବାରେ ଅଧିକ ସହଯୋଗ କରିବେ। ଅଧିକାଂଶ ଦଳ ସ୍ଥିର କରିଛନ୍ତି ଆଦାନି ପ୍ରସଙ୍ଗକୁ ନେଇ ସୋମବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ପ୍ରତିବାଦ କରିବେ ଏବଂ ଅପରାହ୍ଣରେ ସଂସଦରେ ଆଲୋଚନାକୁ ଅନୁମତି ଦେବେ ବୋଲି ଜନୈକ ବିରୋଧୀ ଦଳ ନେତା କହିଛନ୍ତି।

ସମ୍ବନ୍ଧିତ ଖବର