ଟ୍ବିଟର୍‌ କାର୍ଯ୍ୟାନୁଷ୍ଠାନ ଜାରି, କଂଗ୍ରେସର ୫ ନେତାଙ୍କ ସମେତ ଦଳୀୟ ଆକାଉଣ୍ଟ୍‌ ଅଚଳ

ଟ୍ବିଟର୍‌ ପ୍ରୋଫାଇଲ୍‌ରେ ରାହୁଲଙ୍କ ଫଟୋ ଲଗାଇଲେ ପ୍ରିୟଙ୍କା, ଆମେ ଖାତିର୍‌ କରୁନାହୁଁ: କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପରେ ଟ୍ବିଟର ଏବେ ଦଳର ୫ ଜଣ ନେତାଙ୍କ ସମେତ ଦଳୀୟ ଆକାଉଣ୍ଟ୍‌ ମଧ୍ୟ ଅଚଳ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସଂପୂର୍ଣ୍ଣ ଭାବେ ଟ୍ବିଟର୍‌ ଦ୍ବାରା ନିର୍ଦ୍ଧାରିତ ନୀତି ଆଧାରରେ ଆଇନସମ୍ମତ ଭାବେ କରାଯାଇଛି ବୋଲି ଟ୍ବିଟର୍‌ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟକୁ ଜଣାଇଛନ୍ତି। ଟ୍ବିଟର୍‌ର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଜି କଂଗ୍ରେସ ଫେସ୍‌ବୁକ୍‌ ମାଧ୍ୟମରେ ବିବୃତି ଜାରି କରିଛି। ତେବେ ଏଭଳି କାର୍ଯ୍ୟାନୁଷ୍ଠାନକୁ ଆମେ ଖାତିର୍‌ କରୁନାହୁଁ, ଆମେ ଲଢ଼ିବୁ ଏବଂ ଲଢ଼େଇ ଜାରି ରଖିବୁ ବୋଲି କଂଗ୍ରେସ କହିଛି। ଦୁଷ୍କର୍ମର ଶିକାର ହୋଇଥିବା ଶିଶୁକୁ ନ୍ୟାୟ ଦେବା ପାଇଁ ସ୍ବର ଉଠାଇବା ଯଦି ଅପରାଧ, ଆମେ ସେଭଳି ଅପରାଧ ଶହେ ଥର କରିବୁ ବୋଲି କଂଗ୍ରେସ କହିଛି। ସୂଚନାଯୋଗ୍ୟ, ଦିଲ୍ଲୀର ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ରାହୁଲ ପରିବାର ସଦସ୍ୟଙ୍କ ଫଟୋ ଟ୍ବିଟ୍‌ କରିଥିଲେ ଏବଂ ଏହାକୁ ନେଇ ବଡ଼ ଧରଣର ବିବାଦ ହୋଇଥିଲା।

ଆଜି କଂଗ୍ରେସର ଦଳୀୟ ଟ୍ବିଟର୍‌ ଆକାଉଣ୍ଟ୍‌କୁ ଟ୍ବିଟର୍‌ କର୍ତ୍ତୃପକ୍ଷ ଲକ୍‌ କରିବା ପୂର୍ବରୁ ଗତ ରାତିରେ ଦଳର ବରିଷ୍ଠ ନେତା ରଣଦୀପ ସୁର୍ଯେୱାଲା, ପୂର୍ବ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ, ଜିତେନ୍ଦ୍ର ସିଂହ, ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବ ଏବଂ ମାଣିକମ୍‌ ଟେଗୋର୍‌ ପ୍ରମୁଖଙ୍କ ଆକାଉଣ୍ଟ୍‌ ଅଚଳ କରିଦିଆଯାଇଥିଲା।

ଟ୍ବିଟର୍‌ ପ୍ରୋଫାଇଲ୍‌ରେ ରାହୁଲଙ୍କ ଫଟୋ ଲଗାଇଲେ ପ୍ରିୟଙ୍କା
ନୂଆଦିଲ୍ଲୀ: ଟ୍ବିଟର ଏବଂ କଂଗ୍ରେସ ମଧ୍ୟରେ ଏବେ ବିବାଦ ତୀବ୍ର ହୋଇଛି। ଟ୍ବିଟରର୍‌ ନୀତି ଉଲ୍ଲଂଘନ କରି ରାହୁଲ ଗାନ୍ଧି କେତେକ ପୋଷ୍ଟ କରିବା ପରେ ଏହାକୁ ନେଇ ଟ୍ବିଟର୍‌ କଡ଼ା ଆଭିମୁଖ୍ୟ ଦେଖାଇ ଦଳୀୟ ଆକାଉଣ୍ଟ୍‌କୁ ମଧ୍ୟ ଅଚଳ କରିଛି। କଂଗ୍ରେସ ଏହାର ଜୋର୍‌ଦାର ବିରୋଧ କରିଥିବା ବେଳେ ଆଜି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ପ୍ରୋଫାଇଲ୍‌ରେ ରାହୁଲଙ୍କ ଫଟୋ ଲଗାଇଛନ୍ତି। ଅନ୍ୟ କେତେକ କଂଗ୍ରେସ ନେତା ମଧ୍ୟ ସେମାନଙ୍କ ଆକାଉଣ୍ଟ୍‌ରେ ରାହୁଲଙ୍କ ଫଟୋ ଲଗାଇବା ସହ ନିଜର ନାମ ମଧ୍ୟ ବଦଳାଇ ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି, ଟ୍ବିଟର୍‌ କଂଗ୍ରେସ ନେତାଙ୍କ ଆକାଉଣ୍ଟ୍‌ ଅଚଳ କରିବା ପାଇଁ ମୋଦୀ ସରକାରଙ୍କ ନୀତିକୁ ପ୍ରୟୋଗ କରିଛି। ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଟ୍ବିଟର୍‌ ବିଜେପି ସହିତ ସାମିଲ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର