ଜୋର୍‌ଦାର ହେବ ଚାଷୀ ଆନ୍ଦୋଳନ, ‘ଚାଷ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ’ ଦିବସ ପାଳିତ

ସରକାର ଆନ୍ଦୋଳନ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି: ଚାଷୀ ସଂଗଠନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ଗତକାଲି ୭ ମାସ ପୂରିଛି ଏବଂ ଆଗକୁ ଏହା ଆହୁରି ଜୋର୍‌ଦାର ହେବ ବୋଲି ଚାଷୀ ସଂଗଠନମାନେ ଘୋଷଣା କରିଛନ୍ତି। ଦିଲ୍ଲୀର ବିଭିନ୍ନ ସୀମାରେ ଏବେ ପ୍ରାୟ ୪୦ଟି ଚାଷୀ ସଂଗଠନର ମିଳିତ ମଞ୍ଚ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଜୁଲାଇ ୯ ତାରିଖ ଏବଂ ୨୪ ତାରିଖରେ ୨ଟି ବଡ଼ ଧରଣର ଟ୍ରାକ୍ଟର ରୢାଲି ଆୟୋଜନ ହେବ। ଏଥିରେ ୪ ଲକ୍ଷ ଟ୍ରାକ୍ଟର ସାମିଲ ହେବ।

୨୫ ଜୁଲାଇରେ ଗାଜିପୁର ସୀମାରେ ରୢାଲି ପହଞ୍ଚିବ ବୋଲି ସେ କହିଛନ୍ତି। ଆନ୍ଦୋଳନକୁ ସବୁ ରାଜ୍ୟରେ ବ୍ୟାପକ କରିବା ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ଏଥିରେ ସାମିଲ କରାଯିବାକୁ ଚାଷୀ ସଂଗଠନଗୁଡ଼ିକର ମିଳିତ ବୈଠକରେ ନିଷ୍ପତ୍ତି ହୋଇଥିବା ଟିକାୟତ କହିଛନ୍ତି। ଗତକାଲି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ ରାଜ୍ୟରେ ଚାଷୀମାନେ ରାଜଭବନକୁ ଶୋଭାଯାତ୍ରାରେ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଦିବସକୁ ସେମାନେ ‌‘ଚାଷ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ’ ଦିବସ ଭାବେ ପାଳନ କରିଛନ୍ତି ଏବଂ ସମସ୍ତ ରାଜ୍ୟପାଳ ଓ କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଦେଶରେ ମଧ୍ୟ ଭାରତର ନୂଆ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ହେଉଛି। ଗତକାଲି ଆ‌ମେରିକାର ମାସାଚୁସେଟ୍ସଠାରେ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଜୁଲାଇରେ ୨ଟି ଟ୍ରାକ୍ଟର ରୢାଲି ଘୋଷଣା କଲେ ରାକେଶ ଟିକାୟତ

ଦିଲ୍ଲୀରେ ଚାଷୀମାନେ ଗତକାଲି ଶୋଭାଯାତ୍ରା ବାହାର କରିବା ପରେ ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ରେଳ ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ଚାଷୀ ନେତା ‌ରାକେଶ ଟିକାୟତଙ୍କୁ ଗିରଫ କରାଯାଇଥିବା ସଂକ୍ରାନ୍ତ ମିଛ ଖବର ପ୍ରଚାର ହେବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଂଜାବ ଓ ହରିୟାଣାରେ ଚାଷୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ପୁଲିସ ବ୍ୟାରିକେଡ୍‌ ହଟାଇ ଆଗକୁ ବଢ଼ିଥିଲେ। କେତେକ ରାଜ୍ୟରେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାରମାନେ ପ୍ରୟାସ କରୁଛନ୍ତି ବୋଲି ଚାଷୀ ସଂଗଠନମାନେ ଅଭିଯୋଗ କରିଛନ୍ତି। ଆଜି ମିଳିତ କୃଷକ ମୋର୍ଚା (ଏସ୍‌କେଏମ୍‌) ପକ୍ଷରୁ କୁହାଯାଇଛି ଯେ ଆନ୍ଦୋଳନକାରୀ କୃଷକମାନଙ୍କୁ ପଂଜାବ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଆଦି ରାଜ୍ୟରେ ପୁଲିସ ଗତକାଲି ଗିରଫ କରିଥିଲା ଏବଂ ଆନ୍ଦୋଳନକୁ ଚପାଇବା ପାଇଁ ଏହା ଏକ ପ୍ରୟାସ ଥିଲା।

ଅନ୍ୟପକ୍ଷରେ ଆନ୍ଦୋଳନକୁ ୭ ମାସ ପୂରିବା ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆନ୍ଦୋଳନ ଶେଷ କରିବା ପାଇଁ ଚାଷୀ ନେତାଙ୍କୁ ନିବେଦନ କରିଛନ୍ତି। ଚାଷୀମାନେ ନୂଆ କୃଷି ଆଇନର ପ୍ରାବଧାନ ବାବଦରେ ଆଲୋଚନା କରିବାକୁ ସେ ଆହ୍ବାନ ଦେଇଛନ୍ତି। ତେବେ ଭାରତୀୟ କିଷାନ ୟୁନିଅନ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ନୂଆ କୃଷି ଆଇନ ପ୍ରତ୍ୟାହାର ପରେ ହିଁ ଆନ୍ଦୋଳନ ଶେଷ ହେବ ବୋଲି କହିଛି।

ସମ୍ବନ୍ଧିତ ଖବର