ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା, କରୋନା ନୁହେଁ ଭୋକ ମାରିଦେଉଛି

ରାୟପୁର: ଦେଶ କରୋନା ସହ ସଂଘର୍ଷ କରୁଥିବା ବେଳେ ଲକ୍‌ଡାଉନ୍‌ରେ ଫସି ଜୀବିକା ହରାଇ ଘରକୁ ଫୋରୁଥିବା ଦାଦନ ଶ୍ରମିକଙ୍କୁ ଭୋକ ସହ ସଂଘର୍ଷ କରିବାକୁ ପଡୁଛି। ଲମ୍ବା ରାସ୍ତା ଚାଲିଚାଲି ଅବା କେଉଁ ମାଲବାହୀ ଟ୍ରକ୍‌ ପଛରେ ଲଟେଇ ହୋଇ ଆସିବା ଭିତରେ ଏ ଗ୍ରୀଷ୍ମକାଳରେ ଦାଉ ସାଧୁଛି, ଖାଦ୍ୟାଭାବ। ଟ୍ରକ୍‌ର ବିଲ୍‌ରେ ଜିନିଷ ଯାଉଥିବା ଲେଖାଥିଲେ ବି ସେଥିରା ମଣିଷ ବୁହାହେଉଥିବା ଦେଖିବାକୁ ମିଳୁଛି। ମୁମ୍ବାଇରେ ୪୯ ଜଣ ଏମିତି ଏକ କଣ୍ଟେନରବାଲା ଗାଡ଼ିର କଣ୍ଟେନର ଭିତରେ ପଶିଥିବା ଦେଖାଯାଇଥିଲା। ଏହା ଦେଶର ନୂଆ ଘଟଣା ହୋଇନଥିଲେ ସୁଦ୍ଧା ସ୍ଥାନୀୟ ପୁଲିସ୍‌କୁ ଆଶ୍ଚର୍ଯ୍ୟ କରିଛି। ଲୋକମାନେ ଦେଢ’ଲକ୍ଷ ଟଙ୍କାରେ ଭଡ଼ାରେ ଆଣି ଆସିଥିବା ସେଇ କଣ୍ଟେନର ଗାଡ଼ିରେ ଚାରି ଦିନ ଯାତ୍ରା କରି ସେମାନେ ମାତ୍ର ଦୁଇ ଥର ସେଥିରୁ ପଦାକୁ ଆସିଛନ୍ତି। କେବଳ ବିସ୍କୁଟ ଓ ପାଣି ପିଇ ବଞ୍ଚିଛନ୍ତି ବୋଲି ଗୌତମ ନାମକ ଜଣେ ଦାଦନ ଶ୍ରମିକ କହିଛନ୍ତି। ଜଣାପଡ଼ିଛି ଏହି ଟ୍ରକ୍‌ ଭଡ଼ା କରିବାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଭଡ଼ା ପଡୁଛି ଯାତ୍ରୀ ପରିବହନ ପାଇଁ।

ମେ ପହିଲା ଶ୍ରମିକ ଦିବସରେ ଶ୍ରମିକ ସ୍ପେସାଲ ରେଳଗାଡ଼ି ପ୍ରଚଳନ ହୋଇଥିଲେ ସୁଦ୍ଧା ତାହା ପୂର୍ବରୁ ଫସିଥିବା ଲୋକମାନେ ଶହଶହ ସଂଖ୍ୟାରେ ଟ୍ରକ୍‌କୁ ଭଡ଼ାରେ ଆଣି ସାରିଛନ୍ତି। ଏଥିପାଇଁ ଯାତ୍ରୀ ପିଛା ୪୦୦୦ ଟଙ୍କା ମଧ୍ୟ ଦେବାକୁ ପଡ଼ିଛି। କାରଣ ଅନେକ ଶ୍ରମିକ ରେଳଗାଡ଼ି ବା ବସ୍‌ ଧରିବା ପାଇଁ ଚାଲିବାକୁ ପସନ୍ଦ କରୁନାହାନ୍ତି। ତେଣୁ କଣ୍ଟେନର ବକ୍ସ, କଂକ୍ରିଟ୍‌ ମିକ୍ସର ବିନ୍‌, କାର୍ଗୋ କମ୍ପାର୍ଟମେଣ୍ଟ ଆଦିକୁ ନନ୍‌ଷ୍ଟପ୍‌ ଯାତ୍ରା ପାଇଁ ସୁବିଧାଜନକ ମାଧ୍ୟମ ଭାବିଛନ୍ତି। ଭୋକରେ ଆଉଟୁପାଉଟୁ ହୋଇ ୧୦୦ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରା କରି ଗୁଜରାଟ, ମହାରାଷ୍ଟ୍ର, କର୍ଣାଟକ ଓ ତେଲେଙ୍ଗାନା ଆଦି ରାଜ୍ୟରୁ ଯାଇ ଉତ୍ତରପ୍ରଦେଶ, ବିହାର, ଓ ଝାଡ଼ଖଣ୍ଡରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଏଭଳି ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇଥିବା ଦାବି କରୁଥିଲେ ବି ସବୁ ଘରମୁହାଁ ଶ୍ରମିକଙ୍କ ଭାଗ୍ୟରେ ତାହା ଜୁଟୁ ନାହିଁ। କେତେ ଜଣ ଶ୍ରମିକ କହିଛନ୍ତି ଯେ ଖିଆପିଆ କଲେ ବାରମ୍ବାର ଓହ୍ଲାଇବାକୁ ପଡ଼ିବ ଶୌଚକର୍ମ ପାଇଁ। ବରଂ ପେଟର ଭୋକକୁ ଚାପି ନିଜ ଗାଆଁରେ ପହଞ୍ଚି ମରିବା ଭଲ। ଏଭଳି ଶ୍ରମିକମାନେ ପୁରୁଣା ସାଇକେଲ କିଣି ମଧ୍ୟ ନିଜ ରାଜ୍ୟକୁ ଫେରୁଥିବା ଦେଖାଯାଉଛି। ଅନେକଙ୍କର ଭୋକରେ, ହୃଦ୍‌ଘାତରେ, ଅଂଶୁଘାତରେ ଅବା ଗାଡ଼ି ଚାପାରେ ଜୀବନ ଯାଉଥିଲେ ସୁଦ୍ଧା ଏ ଯାତ୍ରା ଜାରି ରହିଛି ଏବଂ ରହିବ। ସେମାନଙ୍କୁ ଅଟକାଇବାର ସବୁ ସୀମା ଏହି ଦଫାକୁ ଦଫା ଲକ୍‌ଡାଉନ୍‌ ଶେଷ କରିଦେଇଛି। କେବଳ ଯାହା ବାକି ଅଛି କରୋନା ସଂକଟ ମୁକାବିଲା ପ୍ୟାକେଜ୍‌ର ସହୟତା ପାଇବା।

ସମ୍ବନ୍ଧିତ ଖବର