ଚାଷୀଙ୍କୁ ହାତ ଯୋଡ଼ିଲେ ପ୍ରଧାନମନ୍ତ୍ରୀ: ଏମ୍‌ଏସ୍‌ପି ମିଳିବ, ମଣ୍ଡି ରହିବ

ନୂଆଦିଲ୍ଲୀ: ଦେଶର ୩ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀରେ ଗତ ୨୪ ଦିନ ହେଲା ଜୋରଦାର ଆନ୍ଦୋଳନ ଚଳାଇ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ କୃଷି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି। କୃଷକମାନଙ୍କ ସବୁ ସମସ୍ୟା ଉପରେ ସେ ଯୋଡ଼ହସ୍ତରେ, ମୁଣ୍ଡ ନୂଆଁଇ, ବିନମ୍ରତାର ସହ ଆଲୋଚନା କରି ସେମାନଙ୍କ ଭୟ ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ମଧ୍ୟ ପ୍ରଦେଶର କୃଷକମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଦୀର୍ଘ ୧ ଘଣ୍ଟା ଧରି ଉଦ୍‌ବୋଧନ ଦେବାବେଳେ ମୋଦୀ କହିଛନ୍ତି, ନୂଆ ଆଇନ ଆସିବା ଫଳରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଉଠିଯିବ ବୋଲି ଯାହା ଆଲୋଚନା ହେଉଛି ତାହା ସବୁଠୁ ବଡ଼ ମିଛ। ନୂଆ କୃଷି ଆଇନ ରାତାରାତି ଆସିନାହିଁ। ବିଭିନ୍ନ ସରକାର ଏହି ଆଇନ ସଂପର୍କରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି। ଗତ ୨୦ରୁ ୨୨ ବର୍ଷ ହେଲା କେନ୍ଦ୍ର ଓ ରାଜ୍ୟ ସରକାର ଏହି କୃଷି ସଂସ୍କାର ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ କରିଛନ୍ତି। କୃଷକଙ୍କ ଠାରୁ ଆରମ୍ଭ କରି କୃଷି ବିଶେଷଜ୍ଞ, ଅର୍ଥନୀତିଜ୍ଞ, ବୈଜ୍ଞାନିକ ଆଦି କୃଷିରେ ସଂସ୍କାର ପାଇଁ ନିରନ୍ତର ଭାବେ ଦାବି କରି ଆସିଛନ୍ତି। ବସ୍ତୁତଃ, କୃଷି ଆଇନକୁ ଆଜି ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ କଷକମାନେ ପଚାରିବା ଆବଶ୍ୟକ ପୂର୍ବରୁ କାହିଁକି ସେମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଏଥିପାଇଁ ପ୍ରତିଶ୍ରୁତି ଦେଇ ଆସୁଥିଲେ। କିନ୍ତୁ କେବେ ବି ସେହି ପ୍ରତିଶ୍ରୁତିକୁ ପୂରଣ କରି ନଥିଲେ। ଏପରିକି କେବେ ବି ଏହି ପ୍ରସଙ୍ଗକୁ ଅଗ୍ରାଧିକାର ମଧ୍ୟ ଦେଇ ନଥିଲେ। ତେବେ ବିରୋଧୀଙ୍କ ସମସ୍ୟା ହେଲା ମୋଦୀ କିଭଳି ଏହି କାର୍ଯ୍ୟ କରିଦେଲେ? ମୋଦୀ କାହିଁକି ଏଥିପାଇଁ ଶ୍ରେୟ ନେଇଯିବେ? ମୋତେ ଶ୍ରେୟ ନଦେଲେ ନାହିଁ ତୁମ ନିର୍ବାଚନୀ ଇସ୍ତାହାରକୁ ତ ଶ୍ରେୟ ଦିଅ ବୋଲି ମୋଦୀ ବିରୋଧୀଙ୍କୁ କହିଛନ୍ତି। ମୁଁ କୃଷକମାନଙ୍କ ପ୍ରଗତି ଚାହେଁ। ତେଣୁ ଏହି ପ୍ରସଙ୍ଗରେ ବିରୋଧୀମାନେ କୃଷକମାନଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକମାନଙ୍କୁ ମୋଦୀ କହିଛନ୍ତି, ଯଦି ବିରୋଧୀ ଦଳଙ୍କ ନିର୍ବାଚନୀ ଇସ୍ତାହାରକୁ ଦେଖିବ ତା’ହେଲେ ତୁମେ ଜାଣିବାକୁ ପାଇବ ଯେ ସେମାନେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜିର ସଂସ୍କାର ତାହାଠାରୁ କିଛି ଭିନ୍ନ ନୁହେଁ। ବିରୋଧୀଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ସେମାନେ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ସରକାରଙ୍କ ଉପରକୁ ଗୁଳି ଫୁଟାଉଛନ୍ତି।

କୃଷି ଆଇନରେ ସମସ୍ୟା କ’ଣ ରହିଛି ତାହା ଦର୍ଶାଇବା ପାଇଁ ଆମେ ବିରୋଧୀ ଦଳଗୁଡ଼ିକୁ ବାରମ୍ବାର ପଚାରୁଛୁ। କିନ୍ତୁ ସେମାନଙ୍କ ପାଖରେ କୌଣସି ଉତ୍ତର ନାହିଁ। ଯେଉଁମାନେ ଦେଶର ରାଜନୀତିରେ ସ୍ଥାନ ହରାଇ ସାରିଛନ୍ତି ସେମାନେ କୃଷକମାନଙ୍କୁ ଭୁଆଁ ବୁଲାଉଛନ୍ତି। କୃଷକମାନେ ଜମି ହରାଇବେ ବୋଲି ବିରୋଧୀ କହୁଛନ୍ତି। ଏସବୁ ରାଜନୈତିକ ଦଳର ଚେହେରାକୁ ମୁଁ ଏବେ ପଦାରେ ପକାଇବାକୁ ଚାହୁଛି। ଏହି ପରିପ୍ରେକ୍ଷୀରେ ସ୍ବାମୀନାଥନ କମିଟି ରିପୋର୍ଟ ଏକ ଉଦାହରଣ ଭାବେ ନିଆଯାଇ ପାରେ। କୃଷି ଆଇନକୁ ବିରୋଧ କରୁଥିବା ଦଳ ଗୁଡ଼ିକ ସ୍ବାମୀନାଥନ କମିଟି ରିପୋର୍ଟକୁ ୮ ବର୍ଷ ଧରି ଚାପି ରଖିଥିଲେ। ଏହି ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ କୃଷକମାନେ ଆନ୍ଦୋଳନ କରୁଥିଲେ। କିନ୍ତୁ ସେମାନେ ଏଥିପାଇଁ ଆଦୌଁ ଚିନ୍ତା କରୁ ନଥିଲେ। କାରଣ ସେମାନେ କୃଷକଙ୍କୁ ଅଧିକ ଦର ଦେବାକୁ ଚାହୁନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମ ସରକାର କୃଷକମାନଙ୍କୁ ‘ଅନ୍ନଦାତା’ ଆଖ୍ୟା ଦେଇଛି ଏବଂ ସ୍ବାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିଛି। ଉତ୍ପାଦନ ମୂଲ୍ୟର ୧.୫ ଗୁଣ ଅଧିକ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଆକାରରେ ଦିଆଯାଉଛି ବୋଲି ମୋଦୀ କହିଛନ୍ତି। ବିରୋଧୀମାନେ କିଛି କରନ୍ତି ନାହିଁ, କିନ୍ତୁ ମିଛ କୁହନ୍ତି ଏବଂ କୃଷକଙ୍କୁ ଭୋଟ ପାଇଁ ବ୍ୟବହାର କରନ୍ତି ବୋଲି ମୋଦୀ କହିଛନ୍ତି।

ବିରୋଧୀ କଂଗ୍ରେସ ଉପରେ ଆକ୍ରମଣ କରି ମୋଦୀ କହିଛନ୍ତି ଦୁଇ ବର୍ଷ ପୂର୍ବେ ମଧ୍ୟପ୍ରଦେଶର କୃଷକମାନଙ୍କୁ ଋଣ ଛାଡ଼ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବାସ୍ତବରେ କେତେ କୃଷକ ଏହାଦ୍ବାରା ଉପକୃତ ହୋଇଛନ୍ତି ତାହା ମୋ ଅପେକ୍ଷା ରାଜ୍ୟର କୃଷକମାନେ ଅଧିକ ଜାଣିଛନ୍ତି । ରାଜସ୍ଥାନରେ ଏବେ ବି କୃଷକମାନେ ଋଣ ଛାଡ଼ ପାଇଁ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି। ଫସଲର ଏମଏସପିକୁ ହଟାଇ ଦିଆଯିବ ବୋଲି ଯେଉଁ ଭୟ କୃଷକମାନଙ୍କ ମଧ୍ୟରେ ରହିଛି ସେ ସଂପର୍କରେ ମୋଦୀ କହିଛନ୍ତି, ଆମ ସରକାର ଏମଏସପିକୁ ନେଇ ବହୁତ ସଚେତନ। ଏପରିକି ଫସଲ ବୁଣାବୁଣି ହେବା ପୂର୍ବରୁ ଏମଏସପି ଘୋଷଣା କରାଯାଉଛି ବୋଲି ମୋଦୀ କହିଛନ୍ତି। ନୂଆ କୃଷି ଆଇନ ପ୍ରଣୀତ ହେବାକୁ ୬ ମାସ ବିତିଗଲାଣି। ନୂଆ କୃଷି ଆଇନ ଗୃହୀତ ହେବା ପରେ ଏବଂ କରୋନା ମହାମାରୀ ସମୟରେ ମଧ୍ୟ ଏମଏସପି ଦରରେ ଫସଲକୁ ପୂର୍ବରୁ କୃଷକମାନେ ଯେଉଁ ମଣ୍ଡିରେ ବିକ୍ରି କରୁଥିଲେ ସେଠାରୁ କିଣାଯାଇଛି। କୃଷି ଆଇନକୁ ବିରୋଧ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏପିଏମସି ବିଷୟରେ ମିଛ ପ୍ରଚାର କରୁଛନ୍ତି। ନୂଆ କୃଷି ଆଇନ ଅନୁସାରେ କୃଷକମାନେ ଯଦି ଅଧିକ ଦର ପାଇବେ ସେମାନେ ସେମାନଙ୍କ ଉତ୍ପାଦକୁ ମଧ୍ୟ ଏପିଏମସି ମଣ୍ଡିରେ ବିକ୍ରି କରିପାରିବେ ବୋଲି ମୋଦୀ କହିଛନ୍ତି। ଗତ ୬ ମାସ ମଧ୍ୟରେ ଦେଶରେ ଗୋଟିଏ ହେଲେ ମଣ୍ଡି ବନ୍ଦ କରାଯାଇ ନାହିଁ। ବରଂ ମଣ୍ଡିର ଆଧୁନିକୀକରଣ ପାଇଁ ସରକାର ୫୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି। ସେହିଭଳି କୃଷକ ଓ ଘରୋଇ କମ୍ପାନିଙ୍କ ମଧ୍ୟରେ ଜମିରେ ଚାଷ ପାଇଁ ନୂଆ ଆଇନରେ ରହିଥିବା ବ୍ୟବସ୍ଥା ସଂପର୍କରେ ମୋଦୀ କହିଛନ୍ତି ଏଭଳି ରାଜିନାମା ପୂର୍ବରୁ ରହିଥିଲା। ନୂଆ ଆଇନରେ କମ୍ପାନିଗୁଡ଼ିକର ଦାୟିତ୍ବ ଅଧିକ ରହିଛି। ଯଦି ଫସଲରେ କ୍ଷତି ହୁଏ ତା’ହେଲେ ମଧ୍ୟ କମ୍ପାନି ଗୁଡ଼ିକ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇପାରିବେ ନାହିଁ ବୋଲି ମୋଦୀ କହିଛନ୍ତି। ଆସନ୍ତା ୨୫ ତାରିଖରେ ମୋଦୀ କୃଷି ପ୍ରସଙ୍ଗରେ କୃଷକମାନଙ୍କୁ ପୁଣି ଥରେ ଉଦବୋଧନ ଦେବେ ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର