ପୂର୍ବତନ ପ୍ରଧାନ ବିଚାରପତିଙ୍କ ପୁଅ ହେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ତାଙ୍କ ବାପା ୱାଇଭି ଚନ୍ଦ୍ରଚୂଡ଼ ମଧ୍ୟ ଭାରତର ପ୍ରଧାନ ବିଚାରପତି ଥିଲେ। ବାପା-ପୁଅ ଉଭୟ ଏହି ପଦ ଅଳଙ୍କୃତ କରିବା ଭାରତର ନ୍ୟାୟପାଳିକା ଇତିହାସରେ ପ୍ରଥମ। ଜଷ୍ଟିସ୍ ୱାଇଭି ଚନ୍ଦ୍ରଚୂଡ଼ ୧୯୭୮ରୁ ୧୯୮୫ ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ପ୍ରଧାନ ବିଚାରପତି ଥିଲେ, ଯାହା ନ୍ୟାୟପାଳିକା ଇତିହାସରେ ଦୀର୍ଘତମ। ତାଙ୍କ ପୁଅ ଦୁଇବର୍ଷରୁ କିଛି ଅଧିକ କାଳ ଏହି ପଦରେ ରହିବେ। ପଦ ସମାନ ହେଲେ ମଧ୍ୟ ବାପା-ପୁଅଙ୍କ ପାଇଁ ଆହ୍ବାନ କିନ୍ତୁ ଭିନ୍ନ ଭିନ୍ନ ରହିଛି।

ୱାଇଭି ଚନ୍ଦ୍ରଚୂଡ଼ ‘କିସା କୁର୍ସି କା’ ଫିଲ୍ମକୁ ନେଇ ସଞ୍ଜୟ ଗାନ୍ଧିଙ୍କୁ ଜେଲ ପଠାଇଥିଲେ। ଏହି ଫିଲ୍ମ ଥିଲା ଇନ୍ଦିରା ଗାନ୍ଧି ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧିଙ୍କ ରାଜନୀତିକୁ ନେଇ ଏକ ବ୍ୟଙ୍ଗ, ଯାହାକୁ ଜରୁରି ପରିସ୍ଥିତି ସମୟରେ ଭାରତ ସରକାର ନିଷିଦ୍ଧ କରିଥିଲେ। ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମ୍‌କୋର୍ଟର ବିଚାରପତି ଥିବାବେଳେ ବାପାଙ୍କର ଦୁଇଟି ରାୟକୁ ବଦଳାଇବାରେ ସକ୍ଷମ ହୋଇଥିଲେ। ମାମଲା ଥିଲା ପରକୀୟା ପ୍ରୀତି ଓ ଗୋପନୀୟତାର ଅଧିକାର ସମ୍ପର୍କିତ। ହାବିସ କର୍ପସ ମାମଲାରେ ସୁପ୍ରିମ୍‌କୋର୍ଟ ଜରୁରି ସମୟରେ ବଞ୍ଚିବାର ଅଧିକାରକୁ ବାତିଲ କରିଦେଇଥିଲେ, ଯେତେବେଳେ ୱାଇଭି ଚନ୍ଦ୍ରଚୂଡ଼ ଥିଲେ ପ୍ରଧାନ ବିଚାରପତି। ଏହି ରାୟକୁ ୨୦୧୭ରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ବାତିଲ କରିଦେଇଥିଲେ।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଗୁରୁତ୍ବପୂର୍ଣ୍ଣ ରାୟଗୁଡ଼ିକ ଭିତରେ ରହିଛି- ବ୍ୟକ୍ତିଗତ ଗୋପନୀୟତା, ୟୁଥାନାସିଆ (ସ୍ବେଚ୍ଛାମରଣ), ସମଲୈଙ୍ଗିକତାକୁ ଅପରାଧ ବିବେଚନା ନ କରିବା, ପରକୀୟା ପ୍ରୀତି, ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ, ହାଦିୟା କେସ୍, ମେଡିକାଲ କଲେଜ ମାମଲା, ସିନେମା ହଲରେ ବାଧ୍ୟତାମୂଳକ ଜାତୀୟ ସଂଗୀତ ଆବୃତ୍ତି, ମହିଳାଙ୍କୁ ଗର୍ଭପାତର ଅଧିକାର ଇତ୍ୟାଦି।

ବର୍ତ୍ତମାନ ଦୁଇବର୍ଷର କାର୍ଯ୍ୟକାଳ ଭିତରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଆଗରେ ଅନେକ ଆହ୍ବାନ ରହିଛି। ସମ୍ବିଧାନର ଧାରା ୩୭୦ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ (ସିଏଏ)ର ବୈଧତା ଏବଂ ଇଲେକ୍ଟୋରାଲ ବଣ୍ଡ୍ ଯୋଜନା ପ୍ରଭୃତି ମାମଲା ଉପରେ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯାହାର ବିରାଟ ରାଜନୈତିକ ପ୍ରଭାବ ରହିଛି।

ସମ୍ବନ୍ଧିତ ଖବର