ବାବ୍ରି ମାମଲା ପାଇଁ ବଢ଼ିଥିଲା ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷର ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ଆଜି ସ୍ବତନ୍ତ୍ର ବିଚାରପତି ଏସ୍‌କେ ଯାଦବ ଘୋଷଣା କରିଛନ୍ତି। ଲକ୍ଷ୍ନୌ ଜିଲ୍ଲା କୋର୍ଟର ବିଚାରପତି ଯାଦବ ସୁପ୍ରିମକୋର୍ଟଙ୍କ ୨୦୧୭ ମସିହାର ରାୟ ପରେ ଉକ୍ତ ମାମଲାର ନିୟମିତ ଶୁଣାଣି କରିଥିଲେ। ୬୦ ବର୍ଷୀୟ ଏହି ବିଚାରପତି ୨୦୧୯ରେ ଅବସର ନେବାର ଥିଲା। କିନ୍ତୁ ଏହି ହାଇପ୍ରୋଫାଇଲ୍‌ ମାମଲାର ଶୁଣାଣି ପାଇଁ ଯାଦବଙ୍କ କାର୍ଯ୍ୟକାଳକୁ ସୁପ୍ରିମକୋର୍ଟ ବୃଦ୍ଧି କରିଥିଲେ। ଜଷ୍ଟିସ୍‌ ଯାଦବ ୨୦୧୫ରୁ ଏହି ମାମଲା ପରିଚାଳନ କରୁଥିଲେ।

ଉକ୍ତ ମାମଲାରେ ଶୁଣାଣି ସେପ୍ଟେମ୍ବର ୧ ତାରିଖରେ ଶେଷ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଦେଇଥିବା ନିଧାର୍ଯ୍ୟ ସମୟ ମଧ୍ୟରେ ରାୟ ପ୍ରକାଶ କରିବାପାଇଁ ବିଚାରପତି ଯାଦବ ଏହାର ଠିକ୍‌ ପରଦିନଠାରୁ ହିଁ ରାୟ ଲେଖିବା ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ୨୦୧୭ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇ ୨ ବର୍ଷ ମଧ୍ୟ‌ରେ ମାମଲାର ବିଚାରଣ ଶେଷ ପାଇଁ ସ୍ବତନ୍ତ୍ର କୋର୍ଟଙ୍କୁ କହିଥିଲେ। ଉକ୍ତ ମାମଲାରେ ଅନେକ ଥର ସମୟ ବୃଦ୍ଧି କରାଯାଇଛି। ଆଜି ରାୟ ପ୍ରକାଶ ସହ ବିଚାରପତି ଯାଦବ ଅବସର ଗ୍ରହଣ କରିଛନ୍ତି। ବାବ୍ରି ରାୟ ପାଇଁ ତାଙ୍କୁ ବହୁ ରାତି ଅନିଦ୍ରା ରହିବାକୁ ପଡ଼ିଛି ଏବଂ ମାମଲା ଏକ ତର୍କସଂଗତ ପରିସମାପ୍ତିରେ ପହଞ୍ଚିପାରିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର