୨-୪ ସପ୍ତାହରେ ମହାରାଷ୍ଟ୍ରରେ ତୃତୀୟ ଲହର!

ସକ୍ରିୟ ମାମଲା ୮ ଲକ୍ଷ ଛୁଇଁପାରେ, କୋଭିଡ୍‌ ଟାସ୍କ୍‌ ଫୋର୍ସର ଚେତାବନୀ

ମୁମ୍ବାଇ: କୋଭିଡ୍‌-୧୯ ଦ୍ବିତୀୟ ଲହରର ଭୟାବହତା ଶେଷ ହୋଇନଥିବା ବେଳେ ତୃତୀୟ ଲହର ପାଇଁ ଦେଶ ପ୍ରସ୍ତୁତ ହେଉଛି। ଦେଶରେ ସର୍ବାଧିକ କୋଭିଡ୍‌ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଖୁବ୍‌ ଶୀଘ୍ର ତୃତୀୟ ଲହର ଆସିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି। ଆସନ୍ତା ୨-୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ତୃତୀୟ ଲହର ଆସିବ ବୋଲି ରାଜ୍ୟ କୋଭିଡ୍‌-୧୯ ଟାସ୍କ ଫୋର୍ସ‌୍ ଚେତାବନୀ ଦେଇଛି। ତେବେ ତୃତୀୟ ଲହରରେ ଶିଶୁ ଏବଂ ଯୁବକମାନେ ଅଧିକ ପ୍ରଭାବିତ ହେବେ ବୋଲି ଯେଉଁ ଆକଳନ କରାଯାଇଥିଲା ତାହାକୁ ଟାସ୍କଫୋର୍ସ‌୍ ଖଣ୍ଡନ କରିଛି। ନିକଟରେ ଚିହ୍ନଟ ହୋଇଥିବା ଡେଲ୍‌ଟା ପ୍ଲସ୍‌ ପ୍ରଜାତି ପାଇଁ ତୃତୀୟ ଲହର ଖୁବ୍‌ ଶୀଘ୍ର ଆସିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି।

ତୃତୀୟ ଲହର ପାଇଁ ରାଜ୍ୟ କିଭଳି ପ୍ରସ୍ତୁତ ହେଉଛି ସେନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିବା ବେଳେ ଏଥିରେ ଏଭଳି ଆକଳନ କରାଯାଇଛି। ବୈଠକରେ କୋଭିଡ୍‌ ଟାସ୍କ ଫୋର୍ସ‌୍ ସଦସ୍ୟ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ବରିଷ୍ଠ ଅମଲାମାନେ ସାମିଲ ଥିଲେ। ମହାରାଷ୍ଟ୍ରରେ ତୃତୀୟ ଲହରରେ ମୋଟ୍‌ ସଂକ୍ରମଣ ଦ୍ବିତୀୟ ଲହର ତୁଳନାରେ ଦ୍ବିଗୁଣା ହେବ। ପ୍ରଥମ ଲହରରେ ୧୯ ଲକ୍ଷ ସଂକ୍ରମଣ ମାମଲା ଥିବାବେଳେ ଦ୍ବିତୀୟ ଲହରରେ ଏହା ୪୦ ଲକ୍ଷ ରହିଛି। ତେବେ ବର୍ତ୍ତମାନ ସକ୍ରିୟ ମାମଲା ୧.୪ ଲକ୍ଷ ରହୁଥିବା ବେଳେ ତୃତୀୟ ଲହରରେ ସକ୍ରିୟ ମାମଲା‌ ୮ ଲକ୍ଷକୁ ବୃଦ୍ଧି ପାଇବ। ଶିଶୁଙ୍କଠାରେ ସଂକ୍ରମଣ ମୋଟ୍‌ ମାମଲାର ୧୦ ପ୍ରତିଶତ ରହିବ। ପ୍ରଥମ ୨ଟି ଲହରରେ ଯେଉଁ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ ଭାଇରସ୍‌ କବଳରୁ ବର୍ତ୍ତି ଯାଇଛନ୍ତି ତୃତୀୟ ଲହର ସେମାନଙ୍କୁ ବେଶୀ ପ୍ରଭାବିତ କରିବ ବୋଲି କୁହାଯାଉଛି। ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ତୃତୀୟ ଲହର ଅଧିକ ଭୟଙ୍କର ହେବ। ଟାସ୍କ ଫୋର୍ସ‌୍‌ର ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କହିଛନ୍ତି, ବ୍ରିଟେନ୍‌ରେ ଦ୍ବିତୀୟ ଲହର ଦୁର୍ବଳ ହେବାର ୪ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିଯାଇଥିଲା। କୋଭିଡ୍‌ ନିୟମାବଳି ସଠିକ୍‌ ପାଳନ ନହେଲେ ଆମେ ମଧ୍ୟ ସେହି ସମାନ ସ୍ଥିତିକୁ ସାମ୍ମା କରିବା ବୋଲି ସେ କହିଛନ୍ତି।

ଏବେ ରାଜ୍ୟରେ ଅନାବଶ୍ୟକ ଗହଳି, ସଠିକ୍‌ ଭାବେ ମାସ୍କ ନପିନ୍ଧିବା ଏବଂ ଲୋକମାନଙ୍କର ବେପରୁଆ ଯାତାୟତ ଖୁବ୍‌ ଚିନ୍ତାଜନକ ହୋଇଛି। ଏପରିକି ମୁମ୍ବାଇରେ ମଧ୍ୟ ଲୋକମାନେ ଅବାଧ ଚଳପ୍ରଚଳ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦ୍ବିତୀୟ ଲହର ଦୁର୍ବଳ ହେବାରୁ କଟକଣା ଧୀରେ ଧୀରେ ହଟିବା ପରେ ଲୋକେ ସାଧାରଣ ନିୟମ ମଧ୍ୟ ମାନୁନାହାନ୍ତି ଏବଂ ଏହାଦ୍ବାରା ବିପଦ ବଢ଼ିବ ବୋଲି ଟାସ୍କଫୋର୍ସ କହିଛି।

ସମ୍ବନ୍ଧିତ ଖବର