ଟିକା ନିରାପଦ, କେବଳ ୦.୧୮% ପ୍ରତିକୂଳ ପ୍ରତିକ୍ରିୟା

କୋଭାକ୍ସିନ ପାଇଁ ସତର୍କତା ଜାରି କଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: କୋଭିଡ୍‌ ଟିକା ସମ୍ପୂର୍ଣ୍ଣ ନିରାପଦ। ଅନ୍ୟ ଟିକା ଅପେକ୍ଷା କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ ଟିକା ଅଧିକ ସୁରକ୍ଷିତ। ଏଯାବତ୍‌ ଦେଶରେ ୪.୫୪ ଲକ୍ଷ ଲୋକ ଟିକା ନେଇସାରିଲେଣି। କେବଳ ୦.୧୮ ପ୍ରତିଶତ କ୍ଷେତ୍ରରେ ପ୍ରତିକୂଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ଟିକାକରଣର ଚତୁର୍ଥ ଦିନରେ ସରକାର କହିଛନ୍ତି, କରୋନା ପାଇଁ ଟିକା ନେଇଥିବା ମୋଟ୍‌ ସଂଖ୍ୟାରୁ କେବଳ ୦.୦୨ ପ୍ରତିଶତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଟିକାକରଣ କ୍ଷେତ୍ରରେ ଲାକ୍ଷାଦୀପ, ସିକ୍କିମ, ଓଡ଼ିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ତେବେ ଡାକ୍ତର, ନର୍ସ‌୍‌ଙ୍କ ସମେତ କରୋନା ବିରୋଧରେ ଲଢ଼େଇ କରୁଥିବା ଅନ୍ୟ କିଛି ସ୍ବାସ୍ଥ୍ୟକର୍ମୀ ଟିକା ନନେବା ଖୁବ୍‌ ଦୁଃଖଦାୟକ। ସ୍ବାସ୍ଥ୍ୟକର୍ମୀମାନେ ଟିକା ନେବା ସଂକ୍ରାନ୍ତରେ ଆଦୌ ଦ୍ବନ୍ଦ୍ବରେ ନରହିବା ଉଚିତ୍‌। ସେହିପରି ଟିକା ନେବାପାଇଁ ଯେଉଁମାନେ ଯୋଗ୍ୟ ସେମାନେ କୌଣସି ପ୍ରକାର ଗୁଜବରେ ଆଦୌ ବିଶ୍ବାସ କରିବା ଉଚିତ୍‌ ନୁହେଁ ବୋଲି ସରକାର କହିଛନ୍ତି। ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ କୌଣସି ସାଧାରଣ ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ଅତି ସାଧାରଣ କଥା ବୋଲି ନିତି ଆୟୋଗ ଡାକ୍ତର ଭି କେ ପଲ୍‌ କହିଛନ୍ତି। ଏଥିସହିତ ସେ ଏହା ମଧ୍ୟ କହିଛନ୍ତି, ମହାମାରୀ କିଭଳି ରୂପ ନେବ ତାହା ଜଣାନାହିଁ। ତେଣୁ ସମସ୍ତଙ୍କୁ ଟିକା ନେବାପାଇଁ ଅନୁରୋଧ କରିବା ସହ ଉଭୟ କୋଭାକ୍ସିନ୍‌ ଏବଂ କୋଭିସିଲ୍ଡ ଟିକା ସୁରକ୍ଷିତ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ଭାରତ ବାୟୋଟେର କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିନଥିବାରୁ ଏହାର ଫଳପ୍ରଦତା ଓ ନିରାପଦତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ତେଣୁ ଏହି ଟିକା ନେବା ପାଇଁ ହିତାଧିକାରୀମାନେ କିଛିଟା ଅମଙ୍ଗ ହେଉଛନ୍ତି। ଏଭଳି ସ୍ଥିତିରେ କେଉଁମାନେ ଉକ୍ତ ଟିକା ଗ୍ରହଣ କରିବା ଅନୁଚିତ, ସେ ସମ୍ପର୍କରେ ଭାରତ ବାୟୋଟେକ୍‌ ପକ୍ଷରୁ ଏକ ପରାମର୍ଶାବଳି ଜାରି କରାଯାଇଛି। ଯେଉଁମାନଙ୍କ ଠାରେ ଚର୍ମଗତ ବିକାର ଲକ୍ଷଣ ରହିଥିବ, ଜ୍ବର ଲାଗି ରହୁଥିବ, ରକ୍ତସ୍ରାବରେ ବିଶୃଙ୍ଖଳା ରହିଥିବ ଅବା ରକ୍ତ ପତଳା କରିବା ପାଇଁ ଔଷଧ ନିଆଯାଉଥିବ, ସେମାନେ ଏହି କୋଭାକ୍ସିନ ଗ୍ରହଣ ନ କରିବା ଲାଗି କୁହାଯାଇଛି। ସେହିପରି ଯେଉଁମାନଙ୍କର ଶରୀରର ରୋଗ ପ୍ରତିରୋଧକତା ପ୍ରତି ସାଲିସ ରହିଛି କିମ୍ବା ରୋଗପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କଲାଭଳି ଚିକିତ୍ସା ଚାଲିଥିବ ସେମାନଙ୍କୁ ମଧ୍ୟ ଏହି ଟିକା ନେବାକୁ ବାରଣ କରାଯାଇଛି। ଅପରପକ୍ଷେ, କେହି ଗର୍ଭବତୀ ଥିଲେ ବା ଦୁଗ୍ଧପାନ କରାଉଥିଲେ ଅବା ଅନ୍ୟ କୌଣସି କୋଭିଡ୍‌ ଟିକା ନେଇଥିଲେ ସେମାନେ କୋଭାକ୍ସିନ ନେବା ଅନୁଚିତ ବୋଲି କୁହାଯାଇଛି। ସର୍ବୋପରି ଟିକା ପ୍ରଦାନ କରୁଥିବା ଚିକିତ୍ସକ ଯଦି ହିତାଧିକାରୀଙ୍କର କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସନ୍ଦେହ ପ୍ରକଟ କରନ୍ତି, ତେବେ କୋଭାକ୍ଲିନ ନେବାଟା ଠିକ୍‌ ହେବନାହିଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର