ଦେଶରେ ୨୦ ଲକ୍ଷରୁ ଅଧିକ କରୋନା ଟେଷ୍ଟ୍‌

ନୂଆଦିଲ୍ଲୀ: ଦେଶ‌ରେ କୋଭିଡ୍‌-୧୯ ପାଇଁ ପରୀକ୍ଷା ୨୦ ଲକ୍ଷ ଟପିଛି। ଗତ ୧୨ ଦିନ ମଧ୍ୟରେ ଟେଷ୍ଟିଂ ଦ୍ବିଗୁଣା ହୋଇଛି। ମେ’ ଶେଷ ସୁଦ୍ଧା ଭାରତରେ ୨୦ ଲକ୍ଷ ଟେଷ୍ଟ୍‌ ପାଇଁ ଟାର୍ଗେଟ୍‌ କରାଯାଇଥିଲା କିନ୍ତୁ ୨ ସପ୍ତାହ ପୂର୍ବରୁ ଏହି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୩୫୯ ସରକାରୀ ଏବଂ ୧୪୫ ଘରୋଇ ଲ୍ୟାବ୍‌ ସହ ମୋଟ୍‌ ୫୦୪ ଲ୍ୟାବ୍‌ରେ କରୋନା ପରୀକ୍ଷା କରାଯାଉଛି। ଦେଶରେ ଏବେ ଦୈନିକ ୧ ଲକ୍ଷ କରୋନା ଟେଷ୍ଟ୍‌ କରାଯାଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

ତେବେ ଭାରତ ଏହାର ଜନସଂଖ୍ୟାରୁ ପ୍ରତି ନିୟୁତରେ ୧୫୪୦ ଜଣଙ୍କ କରୋନା ଟେଷ୍ଟ୍‌ କରିଛି। ବିଳମ୍ବିତ ମାର୍ଚ୍ଚରେ ପ୍ରତି ନିୟୁତରେ ମାତ୍ର ୯୪.୫ ଜଣଙ୍କ ଟେଷ୍ଟ୍‌ କରାଯାଇଥିଲା। ଅନ୍ୟ ଦେଶ ତୁଳନାରେ ଭାରତରେ ଟେଷ୍ଟିଂ ଏବେ ବି ବହୁତ କମ୍‌ ରହିଛି। ଆମେରିକା, ସ୍ପେନ୍‌, ରୁଷ୍‌, ବ୍ରିଟେନ ଏବଂ ଇଟାଲିରେ ଯଥାକ୍ରମେ ପ୍ରତି ନିୟୁତରେ ୩୧,୦୮୦, ୫୨,୭୮୧, ୪୨,୪୦୩, ୩୨,୬୯୧ ଏବଂ ୪୫,୨୪୬ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଛି। ତେବେ ଭାରତରେ ସଂକ୍ରମଣ ହାର ପୂର୍ବାପେକ୍ଷା କମିଛି। ଗତ ୧୪ ଦିନ ପୂର୍ବେ ଦେଶରେ ମାମଲା ଦ୍ବିଗୁଣା ହେବାପାଇଁ ୧୧.୧ ଦିନ ଲାଗୁଥିବ‌ାବେଳେ ଏହା ଏବେ ୧୩.୯ ଦିନରେ ପହଞ୍ଚିଛି। ସେହିପରି ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି ଏବଂ ଆରୋଗ୍ୟ ହାର ୩୪.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଆଇସିୟୁରେ ୩ ପ୍ରତିଶତ ସକ୍ରିୟ ମାମଲା ଥିବାବେଳେ ଏଥି ମଧ୍ୟରୁ ୦.୩୯ ପ୍ରତିଶତ ଭେଣ୍ଟିଲେଟରରେ ଏବଂ ୨.୭ ପ୍ରତିଶତ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି। ଏପ୍ରିଲ ୧ରୁ ଦେଶରେ ଟେଷ୍ଟିଂ ପାଞ୍ଚଗୁଣା ହୋଇଛି।

ସମ୍ବନ୍ଧିତ ଖବର