ତୃତୀୟ ଲହରକୁ ଏଡ଼ାଇ ହେବ, ନିୟମ ମାନିବା ଉପରେ ନିର୍ଭର କରୁଛି

ନୂଆଦିଲ୍ଲୀ : କୋଭିଡ୍‌ ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ସମଗ୍ର ଦେଶକୁ ଘାଇଲା କରିଥିବା ବେଳେ ଏବେ ତୃତୀୟ ଲହର ସଂକ୍ରମଣ ନେଇ ସରକାର ଲୋକଙ୍କୁ ସତର୍କ କରାଉଛନ୍ତି। ଦେଶରେ ତୃତୀୟ ଲହର ମଧ୍ୟ ଆସିବ ଏବଂ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି ବୋଲି କେନ୍ଦ୍ର ସରକାରଙ୍କର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ ଦୁଇଦିନ ତଳେ ବୟାନ ଦେଇଥିଲେ। ଆଜି ରାଘବନ କହିଛନ୍ତି ଯେ କଠୋର କଟକଣା ଲାଗୁକରି ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ। ଏଥିସହିତ, ସବୁ ଅଞ୍ଚଳରେ ଯଦି କୋଭିଡ୍‌ ନିୟମ ସଫଳତାର ସହ କାର୍ଯ୍ୟକାରୀ ହେବ, ତା’ହେଲେ ତୃତୀୟ ଲହରକୁ ଏଡ଼ାଇ ଦେଇହେବ।

ତୃତୀୟ ଲହର ପାଇଁ ସବୁସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯିବାକୁ ଗତକାଲି ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ଚେତାଇ ଦେଇଥିଲେ। ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ସେମାନଙ୍କ ପାଇଁ ଟିକାକରଣଠାରୁ ଆରମ୍ଭ କରି ସବୁସ୍ତରରେ ସତର୍କତା ଅବଲମ୍ବନ ପାଇଁ ସୁପ୍ରିମ୍‌ କୋର୍ଟ ଗୁରୁତ୍ବାରୋପ କରିଥିଲେ।

ଏହି ପରିପ୍ରେକ୍ଷୀରେ ରାଘବନ କହିଛନ୍ତି ଯେ ସ୍ଥାନୀୟ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ବ୍ୟାପକ ସତର୍କତା ଅବଲମ୍ବନ ସହ କୋଭିଡ୍‌ ନିୟମ ସଂପୂର୍ଣ୍ଣ ପାଳନ କରାଗଲେ ତୃତୀୟ ଲହରର ପ୍ରଭାବକୁ ଅତି ନଗଣ୍ୟ କରିହେବ କିମ୍ବା ସଂପୂର୍ଣ୍ଣ ଏଡ଼ାଇ ଦେଇହେବ। ତେବେ କେଉଁ ସମୟରେ ତୃତୀୟ ଲହର ଆସିବ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ଜଣାନଥିବାରୁ ଏଥିପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦ୍ବିତୀୟ ଲହର ଅତି ବିପଜ୍ଜନକ ହୋଇଥିବାରୁ ତୃତୀୟ ଲହରକୁ ଯେ କୌଣସି ମୂଲ୍ୟ ଦେଇ ଏଡ଼ାଇବା ହିଁ ବିଜ୍ଞତା ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଡବଲ୍‌ ମୁଟାଣ୍ଟ୍‌ ପାଇଁ ସଂକ୍ରମଣ ବଢ଼ିଚାଲିଛି ଏବଂ ପ୍ରତିଦିନ ଏହା ରେକର୍ଡ ଭାଙ୍ଗୁଛି। ରୋଗ ପ୍ରତିରୋଧକରୁ ଖସି ଯାଉଥିବା ପ୍ରଜାତି ଏବଂ ରୋଗର ଭୟାବହତାକୁ ଅଧିକ ବଢ଼ାଇବା ଭଳି ପ୍ରଜାତି ଆଗକୁ ଚିହ୍ନଟ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଥିବାରୁ ସେହି ଅନୁଯାୟୀ ଅଧିକ ଫଳପ୍ରଦ ଟିକା ପ୍ରସ୍ତୁତି ପାଇଁ ଏବେ ବିଶ୍ବବ୍ୟାପୀ ପ୍ରୟାସ ଜାରି ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଟିକାକରଣକୁ ଆହୁରି ବ୍ୟାପକ କରିବା ପାଇଁ ମଧ୍ୟ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ତଥାପି, ଭାରତ ଭଳି ୧୩୦ କୋଟିର ଜନବହୁଳ ଦେଶରେ ଟିକାକରଣ ଏବେ ଆହ୍ବାନ ସୃଷ୍ଟି କରିଛି। ଟିକାର ଉପଲବ୍ଧତା ଏବଂ ଟିକାକରଣର ନିରନ୍ତରତା ହିଁ ମୁଖ୍ୟ ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର