ଆୟାପ୍ପାଙ୍କ ଦର୍ଶନ ପାଇଁ ସବରିମାଲା ବାହାରେ ଅପେକ୍ଷା କରି ରହିଛନ୍ତି ମାସିକ ଧର୍ମ ବଳବତ୍ତର ଥିବା ଶତାଧିକ ମହିଳା; ଯେ କୌଣସି ମୁହୂର୍ତ୍ତରେ ପରିସ୍ଥିତି ନେଇପାରେ ହିଂସାତ୍ମକ ମୋଡ଼

ସବରିମାଲା (କେରଳ): କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିରର ଗର୍ଭଗୃହ ମଧ୍ୟରେ ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇଁ ଆଜି ଶେଷ ଦିନ ହୋଇଥିବା ବେଳେ ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ଥିବା ଶତାଧିକ ମହିଳା ଅପେକ୍ଷା କରି ରହିବାକୁ କେନ୍ଦ୍ର କରି ସବରିମାଲା ମନ୍ଦିର ସଂଲଗ୍ନ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଏହାକୁ କେନ୍ଦ୍ରକରି ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଯେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଉଦ୍ଦେଶ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୁଲିସ୍‌ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗତ କାଲି ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ଥିବା ୬ ଜଣ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଉଦ୍ଦ୍ୟମ କରିଥିବା ବେଳେ ଏ ନିଷ୍ପତ୍ତିର ବିରୋଧ  କରୁଥିବା ଆୟପ୍ପାଙ୍କ ଭକ୍ତମାନଙ୍କ ସହ ସେମାନଙ୍କର ହାତାହାତି ହୋଇଥିଲା। ଫଳରେ ଜଣେ ମହିଳା ଗୁରୁତର ଭାବେ ଆହତ ହେବା ସହ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ, ଗତକାଲିର ଏହି ଘଟଣା ପରେ ଆଜି ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ଥିବା ଶତାଧିକ ମହିଳା ହାତରେ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲ ଧରି ଠିଆହୋଇ ରହିବା ସହ ଆୟପ୍ପାଙ୍କ ଦର୍ଶନ ପାଇଁ ଗର୍ଭଗୃହକୁ ପ୍ରବେଶ କରିବା ପାଇଁ ଜିଦ୍‌ ଧରି ବସିଛନ୍ତି। ଅପରପକ୍ଷରେ ଏ ନିଷ୍ପତ୍ତିର ଘୋର ବିରୋଧ କରୁଥିବା ଆୟପ୍ପା ଭକ୍ତମାନେ କହିଛନ୍ତି ଯେ ଭଗବାନ ଆୟପ୍ପା ଆଜନ୍ମ ବ୍ରହ୍ମଚାରୀ ରହିଥିବା ଦୃଷ୍ଟରୁ ୧୦ରୁ ୫୦ ବର୍ଷ ମଧ୍ୟରେ ମାସିକ ଧର୍ମ ବଳବତ୍ତର ଥିବା ମହିଳାମାନଙ୍କୁ ତାଙ୍କର ଦର୍ଶନ ପାଇଁ କଦାଚିତ୍‌ ମନ୍ଦିରର ଗର୍ଭଗୃହ ମଧ୍ୟକୁ ଛଡ଼ାଯାଇ ପାରିବ ନାହିଁ। ଯଦି କେହି ଏପରି କରିବା ପାଇଁ ଦୁଃସାହସ କରେ, ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ସୁଦ୍ଧା ଖୋଲା ଧମକ ଦେଇଛନ୍ତି।

 

ସେହିପରି ସବରିମାଲା ମନ୍ଦିରର ତନ୍ତ୍ରୀ (ମୁଖ୍ୟ ପୂଜକ) କାଣ୍ଡାରୁ ରଜ୍ଜିଭାରୁ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଯଦି ମନ୍ଦିରରେ ପ୍ରଚଳିତ ଥିବା ପ୍ରଥା, ବିଶ୍ୱାସ ଓ ପରମ୍ପରାକୁ ଭଙ୍ଗକରି କେହି ମାସିକ ଧର୍ମ ବଳବତ୍ତର ରହିଥିବା ୧୦ରୁ ୫୦ ବର୍ଷ ମଧ୍ୟରେ କେହି ମହିଳା ମନ୍ଦରକୁ ପ୍ରବେଶ କରନ୍ତି, ତେବେ ସେ ପୂଜା ବନ୍ଦ କରିଦେବା ସହ ମନ୍ଦିରର ଦ୍ୱାରକୁ ମଧ୍ୟ ବନ୍ଦ କରିଦେବେ। ସେହିପରି ସବରିମାଲା ମନ୍ଦିରର ପରିଚାଳନା ବୁଝାସୁଝା କରୁଥିବା ପାଣ୍ଡାଲାମ୍‌ ରାଜ ପରିବାର ପକ୍ଷରୁ ମନ୍ଦିର ପରିଚାଳନା ଦାୟିତ୍ୱରେ ରହିଥିବା ବ୍ୟକ୍ତି ବିଶେଷମାନଙ୍କୁ ଏକ ପତ୍ର ଦିଆଯାଇ ମନ୍ଦିରରେ ପ୍ରଚଳିତ ଥିବା ପ୍ରଥା, ବିଶ୍ୱାସ ଓ ପରମ୍ପରାକୁ ଭଙ୍ଗ କରାଯିବାର ଆଶଙ୍କା ଉପୁଜିଲେ ମନ୍ଦିରର ଦ୍ୱାରକୁ ତୁରନ୍ତ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର