ଟିକ୍‌ଟକ୍‌ ଷ୍ଟାର୍‌ ପୂଜା ଚୌହାନ ଆତ୍ମହତ୍ୟା ମାମଲା, ଇସ୍ତଫା ଦେଲେ ସଂଜୟ ର‌ାଠୋର

ମୁମ୍ବାଇ : ପୁଣେରେ ଟିକ୍‌ଟକ୍‌ ଷ୍ଟାର୍‌ ପୂଜା ଚୌହାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ବିରୋଧୀ ଦଳର ଜିଦ୍‌ ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ଜଙ୍ଗଲ ବିଭାଗ ମନ୍ତ୍ରୀ ସଂଜୟ ରାଠୋର ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପୂଜାଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ବିଧାୟକ ଅତୁଲ ଭତ୍‌ଖଲକର ସରକାରଙ୍କୁ ଘେରିଥିଲେ ଏବଂ ରାଠୋର ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ଗୃହ କାର୍ଯ୍ୟ ଚଳାଇବାକୁ ଦେବନାହିଁ ବୋଲି କହିଥିଲେ। ‘ମାର୍ଚ୍ଚ ପହିଲାରୁ ହେବାକୁ ଥିବା ବଜେଟ୍‌ ଅଧିବେଶନକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ରାଠୋର ପୂଜା ଆତ୍ମହତ୍ୟା ମାମଲାରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ସରକାରୀ ତନ୍ତ୍ରର ବ୍ୟବହାର କରି ସେ ଏଭଳି କରିବା ସମ୍ପୂର୍ଣ୍ଣ ଅନ୍ୟାୟ’ ବୋଲି ବିଜେପି କହିଛି। ବିଜେପି ନେତ୍ରୀ ଚିତ୍ରା ବାଘ ଅଭିଯୋଗ କରିଛନ୍ତି, ପୂଜା ଯେଉଁଦିନ ଆତ୍ମହତ୍ୟା କଲେ ସେଦିନ ରାଠୋର ତାଙ୍କୁ ୪୫ ଥର ଫୋନ୍‌ କରିଥିଲେ। ଏକଥା ରାଠୋର ପୁଲିସ ଆଗରେ ସ୍ବୀକାର କରିଛନ୍ତି। ପ୍ରକାଶଯୋଗ୍ୟ, ୨୦୨୧ ବର୍ଷ ପାଇଁ ମହାରାଷ୍ଟ୍ର ସରକାରଙ୍କ ବଜେଟ୍‌ ଅଧିବେଶନ ମାର୍ଚ୍ଚ ୧ରୁ ୧୦ ଯାଏଁ ଚାଲିବ। ରାଜ୍ୟରେ କରୋନା ମହାମାରୀ ବିପଦକୁ ଦୃଷ୍ଟିରେ ରଖି ବଜେଟ୍‌ ଅଧିବେଶନ ଅବଧି କମାଇ ଦିଆଯାଇଛି।

ସମ୍ବନ୍ଧିତ ଖବର