ଆଜି କଂଗ୍ରେସର ଦେଶବ୍ୟାପୀ ଧାରଣା

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନରେ ରାଜ୍ୟପାଳ ବଜୁଭାଇ ବାଲା ବିଜେପିକୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିବା ପ୍ରସଙ୍ଗକୁ ବିରୋଧ କରି କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ। ଗଣତନ୍ତ୍ରର ହତ୍ୟା କରାଯାଉଥିବା ତଥା ସାମ୍ବିଧାନିକ ପଦର ଦୁରୂପଯୋଗ କରାଯାଉଥିବା ଅଭିଯୋଗରେ କଂଗ୍ରେସ ଏହି ଧାରଣା ଡାକରା ଦେଇଛି। ରାଜ୍ୟ ଗୁଡ଼ିକର ରାଜଧାନୀ ଓ ଜିଲ୍ଲା ମୁଖ୍ୟାଳୟରେ ଏନେଇ ବିରୋଧ ପ୍ରଦର୍ଶନ ହେବ। ଏନେଇ କଂଗ୍ରେସ ସାଧାରଣ ସମ୍ପାଦକ ଅଶୋକ ଗେହଲଟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିବା ଜଣାପଡ଼ିଛି। ଏହି ଧାରଣାରେ ପ୍ରତ୍ୟେକ କଂଗ୍ରେସ ନେତା ଏବଂ କର୍ମୀ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବିରୋଧୀ ଦଳ ଗୁଡ଼ିକ ବ୍ୟାପକ ଅସନ୍ତୋଷ ଜାହିର କରି କହିଛନ୍ତି ଯେ ବିଜେପିକୁ ସରକାର ଗଢ଼ିବାପାଇଁ ଡାକି ରାଜ୍ୟପାଳ କେବଳ ତାଙ୍କ ପଦବି ଓ ସମ୍ମାନ ତଳକୁ କରିନାହାନ୍ତି ବରଂ ସେ ଅସାମ୍ବିଧାନିକ ଉପାୟରେ କାର୍ଯ୍ୟ କରିଛନ୍ତି ବୋଲି ବିରୋଧୀ କଂଗ୍ରେସ ରାଜ୍ୟପାଳଙ୍କର କଡ଼ା ସମାଲୋଚନା କରିଛି।

କଂଗ୍ରେସ କ୍ୟାମ୍ପ୍‌ରୁ ୩ ବିଧାୟକ ଗାଏବ!
ନୂଆଦିଲ୍ଲୀ: ବହୁମତ ସାବ୍ୟସ୍ତ କରିବାକୁ କର୍ଣ୍ଣାଟକରେ ବିଜେପି ଘୋଡ଼ା ବେପାର ଚଳାଇଥିବା ଅଭିଯୋଗ ହେଉଥିବା ବେଳେ କଂଗ୍ରେସ କ୍ୟାମ୍ପରୁ ଏବେ ସୁଦ୍ଧା ୩ ଜଣ ବିଧାୟକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ବିଜେପି ନଜରରୁ ବାହାରେ ରଖିବା ପାଇଁ କଂଗ୍ରେସ ଏହାର ବିଧାୟକମାନଙ୍କୁ ବେଙ୍ଗାଲୁରୁ ସ୍ଥିତ ଇଗଲଟନ ରେସର୍ଟରେ ନେଇ ରଖିଛି। ମିଳିଥିବା ଖବର ମୁତାବକ, ଗତକାଲି ସୁଦ୍ଧା କଂଗ୍ରେସର ୨ ବିଧାୟକ ରେସର୍ଟ ଆସିନଥିବା ବେଳେ ଆଜି ଆଉ ଜଣେ ବିଧାୟକ ମଧ୍ୟ କେଉଁଆଡେ ଗାଏବ ହୋଇଯାଇଥିବା ଚର୍ଚ୍ଚା ହେଉଛି। ସରକାର ଗଢିବା ପାଇଁ ବିଜେପିକୁ ଆଉ ୯ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାରୁ କଳେବଳେ କୌଶଳେ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ପ୍ରଲୋଭିତ କରିବାକୁ ବିଜେପି ଚେଷ୍ଟା କରୁଥିବାର ଅଭିଯୋଗ ହୋଇଛି। ତେବେ ୩ ବିଧାୟକ ଗାଏବ ହେବା ଖବରକୁ କଂଗ୍ରେସ ବିଧାୟକ ଖଦେର ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ବିଧାୟକ ଦଳ ସହ ସମ୍ପର୍କରେ ଅଛନ୍ତି ଏବଂ ଯେଉଁମାନେ ରିସର୍ଟରେ ପହଞ୍ଚିନାହାନ୍ତି, ସେମାନେ ଅତିଶୀଘ୍ର ଏଠାକୁ ଆସିବେ ବୋଲି ସେ କହିଛନ୍ତି। ସେପଟେ, ଜେଡିଏସ୍‌ ସହ ମେଣ୍ଟ ପରେ କଂଗ୍ରେସର ଏକ ଗୋଷ୍ଠୀ ଦଳ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିବାରୁ ବିଜେପି ଏହାର ଫାଇଦା ନେବାକୁ ଚେଷ୍ଠା କରୁଥିବା ଜଣାପଡ଼ିଛି। ବିଜେପି କଳେ ବଳେ କୌଶଳେ ଜଣେ ବିଧାୟକଙ୍କୁ ଶହେ କୋଟି ଲେଖାଏଁ ଦେଇ କିଣୁଥିବା ଜେଡିଏସ୍‌ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର