କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ : ଓଡ଼ିଶାର ୩୨.୯୪ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ବ୍ୟବସ୍ଥା

ନୂଆଦିଲ୍ଲୀ : ଓଡ଼ିଶାର ୭୨୫୮୭ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ହେଲେ ଏଥିରେ କେବଳ ୩୨.୯୪ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ବ୍ୟବସ୍ଥା ରହିଛି। ରାଜ୍ୟସଭାରେ ଉପସ୍ଥାପନ ହୋଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏହା ଜଣାପଡ଼ିଛି।

ଡ. ସତ୍ୟନାରାୟଣ ଜତିଆଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ କେନ୍ଦ୍ର ମାନବ ସମ୍ବଳ ବିକାଶ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଓଡ଼ିଶା ସମେତ ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ , ଆସାମ, ଛତିଶଗଡ଼, ଗୋଆ, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ରାଜସ୍ଥାନ, ତାମିଲନାଡୁ, ତ୍ରିପୁରା ରାଜ୍ୟରେ ଶୌଚାଳୟ ନିର୍ମାଣ ବ୍ୟବସ୍ଥାର ମନ୍ଥର ଗତିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡ଼ିଶାରେ ମଞ୍ଜୁରି କରାଯାଇଥିବା ୭୪୧୫୯ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ସେପ୍ଟେମ୍ବର ୩୦ , ୨୦୧୯ ସୁଦ୍ଧା ୭୨୫୮୭ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ମଞ୍ଜୁରି ପ୍ରଦାନ କରାଯାଇଥିବା ୨୨୫୦ ସୁପରଭାଇଜରରୁ ୧୬୮ ପଦ, ୭୪୧୫୯ ଅଙ୍ଗନବାଡ଼ି କେନ୍ଦ୍ର କର୍ମଚାରୀରୁ ୩୯୬୬ ପଦ ଓ ୬୩୭୩୮ ସହାୟକରୁ ୩୨୬୭ ପଦ ଖାଲି ପଡ଼ିଛି। ଏଥିସହିତ, ଓଡ଼ିଶାର ୭୩ ପ୍ରତିଶତ ସରକାରୀ ସ୍କୁଲମାନଙ୍କରେ ଖେଳ ପଡ଼ିଆ ନଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର