ବିନା ଦର୍ଶକରେ ଆଇପିଏଲ୍: ସରକାରଙ୍କ କଡ଼ା ନିର୍ଦେଶ ପରେ ଝୁଲିଲା ଖଣ୍ଡା, ଏପ୍ରିଲ ୧୫ ଯାଏ ଆସିପାରିବେନି ବିଦେଶୀ ଖେଳାଳି

ସ୍ଥଗିତ ଆବେଦନର ତ୍ବରିତ ଶୁଣାଣି ପାଇଁ ଉଚ୍ଚତମ ନ୍ୟାୟାଳୟ ମନାକଲେ

କରୋନା ଭୂତାଣୁ ବ୍ୟାପିବା ପରେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପୂର୍ବ ନିର୍ଧାରିତ ସମୟରେ ଆୟୋଜନ ହେବା ନେଇ ସନ୍ଦେହ ଦେଖାଦେଇଛି। ଆୟୋଜନ ହେଲେ ମଧ୍ୟ ଏହି ଲୋକପ୍ରିୟ ଲିଗ୍ ତା’ର ପୁରୁଣା ଚମକ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ହେବାକୁ ଥିବା ସମସ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ କରିବାକୁ ନିର୍ଦେଶ ଦେଇଛନ୍ତି। ବାତିଲ କରିବାରେ ବୈଷୟିକ ଅସୁବିଧା ଥିଲେ, ବିନା ଦର୍ଶକରେ ଓ ବନ୍ଦ ଫାଟକ ଭିତରେ ପ୍ରତିଯୋଗିତା ଆୟୋଜନ କରିବାକୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ପରାମର୍ଶ ଦେଇଛନ୍ତି। ଏବେ ସବୁ କିଛି ବିସିସିଆଇ ଉପରେ ନିର୍ଭର କରୁଛି। ଲିଗ୍‌କୁ ବାତିଲ କରାନଗଲେ, ଚଳିତ ବର୍ଷ ଆଇପିଏଲ୍ ବିନା ଦର୍ଶକରେ ଫାଙ୍କା ଷ୍ଟାଡିୟମରେ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଲିଗ୍‌କୁ ବନ୍ଦ କିମ୍ବା ବାତିଲ କରିବାକୁ ସରକାର ନିର୍ଦେଶ ଦେଇନାହାନ୍ତି ବୋଲି ରିଜିଜୁ କିନ୍ତୁ ସ୍ପଷ୍ଟ କରି ଦେଇଛନ୍ତି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ନିୟମାବଳୀକୁ ସବୁ କ୍ରୀଡ଼ା ସଂଗଠନକୁ ମାନିବାକୁ ପଡ଼ିବ ବୋଲି ତାଗିଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ନିୟମାବଳୀ ପାଳନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। କୌଣସି ସ୍ଥାନରେ ଯେମିତି ଅନାବଶ୍ୟକ ଭାବେ ଭିଡ଼ ନ ଜମେ, ତା’ ଉପରେ ନଜର ରଖିବାକୁ ସବୁ ରାଜ୍ୟକୁ ନିର୍ଦେଶ ଦିଆଯାଇଛି। ବୁଧବାର କରୋନାକୁ ‌ନେଇ ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ୭ଟି ପରାମର୍ଶ ଜାରି କରିଥିଲା। ଆଇପିଏଲ୍‌-୧୩ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଅଛି। ତେବେ ଏଥିନେଇ ରିଜିଜୁ କହିଛନ୍ତି ଯେ ସାଧାରଣତଃ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ହଜାର ହଜାର ଲୋକ ଷ୍ଟାଡିୟମ ଆସିଥାଆନ୍ତି। ଏଭଳି ସ୍ଥିତିରେ କରୋନା ବ୍ୟାପିବାର ଆଶଙ୍କା ଢେର ଅଧିକ ରହିଥାଏ। ସାଧାରଣ ଜନତାଙ୍କ ଜୀବନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ, ଏଭଳି ଗହଳିକୁ ରୋକିବାକୁ ଆମେ ପଦକ୍ଷେପ ନେଇଛୁ। ଆୟୋଜକ ବିନା ଦର୍ଶକରେ ମ୍ୟାଚ୍ ଆୟୋଜନ କରିବାରେ କୌଣସି ଅସୁବିଧା ନାହିଁ। ଆଇପିଏଲ କରିବା ନ କରିବା ନିଷ୍ପତ୍ତି ଆୟୋଜକଙ୍କ ଉପରେ ଛାଡ଼ିଥିଲେ ମଧ୍ୟ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ବୈଦେଶିକ ମନ୍ତ୍ରାଳୟ ଆଜି ବିସିସିଆଇକୁ ପରାମର୍ଶ ଦେଇଛି।

ଶନିବାର ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି
କରୋନାକୁ ନେଇ ଦେଖା ଦେଇଥିବା ସଙ୍କଟ ବିଷୟରେ ଆଲୋଚନା ସହ ଆଇପିଏଲ୍-୧୩ ଆୟୋଜନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଶନିବାର ଏହି ଚର୍ଚିତ ଲିଗ୍‌ର ପରିଚାଳନା ପରିଷଦର ମହତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଇପିଏଲକୁ ବିନା ଦର୍ଶକରେ ଆୟୋଜନ କରିବା କିମ୍ବା କିଛି ଦିନ ପାଇଁ ସ୍ଥଗିତ ରଖିବା ଉପରେ ଶେଷ ନିଷ୍ପତ୍ତି ନିଆଯିବ। ତେବେ ଆଇପିଏଲକୁ ବାତିଲ କରିବାର କୌଣସି ଯୋଜନା ନାହିଁ ବୋଲି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହି ସାରିଥିବାରୁ, ହୁଏତ ଚଳିତ ବର୍ଷର ଆଇପିଏଲ ଖାଲି ଷ୍ଟାଡିୟମରେ ଆୟୋ‌ଜିତ ହୋଇପାରେ। ଅର୍ଥାତ୍ ମ୍ୟାଚ୍ ତ ଖେଳାଯିବ, ହେଲେ ଦର୍ଶକ ନଥିବେ। ଏଭଳି ସ୍ଥିତିରେ ସେମାନେ ଘରେ ବସି ଟେଲିଭିଜନ ପରଦାରେ ମ୍ୟାଚ୍ ଦେଖି ପାରିବେ। ଷ୍ଟାଡିୟମ୍ କିନ୍ତୁ ଆସି ପାରିବେ ନାହିଁ।

ସ୍ଥଗିତ ଆବେଦନର ତ୍ବରିତ ଶୁଣାଣି ପାଇଁ ଉଚ୍ଚତମ ନ୍ୟାୟାଳୟ ମନାକଲେ
କରୋନା ଭୟ ଭିତରେ ଆଇପିଏଲ୍ ଆୟୋଜନ ମାମଲା ଅଦାଲତରେ ପହଞ୍ଚିଛି। ଆଇନଜୀବୀ ମୋହନ ବାବୁ ଅଗ୍ରୱାଲ କରୋନା ସଂକ୍ରମଣ ପାଇଁ ଆଇପିଏଲ୍‌କୁ ସ୍ଥଗିତ ରଖିବା ଲାଗି ନିର୍ଦେଶ ଦେବାକୁ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଥିଲେ। ତାଙ୍କ ଆବେଦନର ତ୍ବରିତ ଶୁଣାଣି କରିବାକୁ କିନ୍ତୁ ଉଚ୍ଚତମ ନ୍ୟାୟାଳୟ ଗୁରୁବାର ମନା କରି ଦେଇଛନ୍ତି। ଜଷ୍ଟିସ୍ ୟୁୟୁ ଲଲିତ ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ହୋଲି ଛୁଟି ପରେ ମାମଲାର ତ୍ବରିତ ଶୁଣାଣି ଲାଗି ନିୟମିତ ଖଣ୍ଡପୀଠଙ୍କୁ ଆବେଦନ କରିପାରିବେ ବୋଲି ଆବେଦନକାରୀଙ୍କୁ କହିଥିଲେ। ହୋଲି ଛୁଟି ୧୬ ତାରିଖରେ ଶେଷ ହେଉଥିବାରୁ ଏହି ମାମଲାର ଶୁଣାଣି ଏହା ପରେ କରାଗଲେ କୌଣସି ଅସୁବିଧା ନାହିଁ ବୋଲି ଉଭୟ ବିଚାରପତି ସ୍ପଷ୍ଟ କରି ଦେଇଥିଲେ।

ଏପ୍ରିଲ ୧୫ ଯାଏ ଆସିପାରିବେନି ବିଦେଶୀ ଖେଳାଳି
କେନ୍ଦ୍ର ସରକାର ବିଦେଶୀଙ୍କୁ ଭିସା ଜାରି ଉପରେ ଗୁରୁବାର ସାନି ଅଙ୍କୁଶ ଜାରି କରିଛନ୍ତି। ଫଳରେ ଚଳିତ ବର୍ଷର ଆଇପିଏଲ୍‌ରେ ଆସନ୍ତାମାସ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି ଦେଖିବାକୁ ମିଳିବେ ନାହିଁ। ଯାହା ଆଇପିଏଲ୍ ଆୟୋଜନ ନେଇ ଆଶଙ୍କାକୁ ଆହୁରି ଘନେଇଛି। ‘‘ଆଇପିଏଲ୍ ଖେଳୁଥିବା ବିଦେଶୀ ଖେଳାଳିମାନେ ବ୍ୟାବସାୟିକ ଭିସା ନେଇ ଆସିଥାଆନ୍ତି। ସରକାରଙ୍କ ନିର୍ଦେଶ ଅନୁସାରେ ସେମାନେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତ ଆସି ପାରିବେ ନାହିଁ। ଏଣୁ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ‌କେବଳ ଘରୋଇ ଖେଳାଳି ଖେଳି ପାରନ୍ତି’’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର