ପ୍ରବାସୀ ଭାରତୀୟଙ୍କ ଉଚ୍ଛ୍ବସିତ ସମ୍ବର୍ଦ୍ଧନା: ଟିକିଝିଅଠାରୁ ନିଜର ପ୍ରତିକୃତି ଉପହାର ନେଲେ

ଛୋଟ ପୁଅଠାରୁ ଦେଶାତ୍ମବୋଧ ଗୀତ ଶୁଣିଲେ

ନୂଆଦିଲ୍ଲୀ/ବର୍ଲିନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନିଦିନିଆ ୟୁରୋପ ଗସ୍ତର ପ୍ରଥମ ଦିବସରେ ଆଜି ଆସି ଜର୍ମାନୀରେ ପହଞ୍ଚିଛନ୍ତି। ବର୍ଲିନଠାରେ ପ୍ରବାସୀ ଭାରତୀୟମାନଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ରହୁଥିବା ହୋଟେଲ ଆଡଲନ କେମ୍ପିନ୍‌ସ୍କିରେ ଅନେକ ପିଲା ମଧ୍ୟ ଉପସ୍ଥିତ ଅଛନ୍ତି। ସେଠାରେ ମାନ୍ୟା ନାମ୍ନୀ ଗୋଟିଏ ଟିକି ଝିଅ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଛି ଏବଂ ତାଙ୍କୁ ସେ ନିଜର ଆଦର୍ଶ ଭାବେ ମାନେ ବୋଲି କହିଛି। ସେ ପ୍ରଧାନମନ୍ତ୍ରୀଙ୍କୁ ନିଜେ ପେନ୍‌ସିଲରେ ଆଙ୍କିଥିବା ତାଙ୍କର ଏକ ପ୍ରତିକୃତି ଉପହାର ଭାବେ ପ୍ରଦାନ କରିଥିଲା ଏବଂ ଅଟୋଗ୍ରାଫରେ ତାଙ୍କ ସ୍ବାକ୍ଷର ନେଇଥିଲା। ପ୍ରଧାନମନ୍ତ୍ରୀ ଝିଅଟିକୁ ସେ ଆଙ୍କିଥିବା ଚିତ୍ର ବିଷୟରେ ବିଭିନ୍ନ କଥା ପଚାରିଥିଲେ ଏବଂ ସାବାସି ଦେଇଥିଲେ। ଆଉ ଗୋଟିଏ ଛୋଟ ପୁଅ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦେଶାତ୍ମବୋଧକ ଗୀତ ଗାଇ ଶୁଣାଇଥିଲା। ବର୍ଲିନରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଲୋକମାନେ ‘ବନ୍ଦେ ମାତରମ୍’ ଓ ‘ଭାରତ ମାତା କୀ ଜୟ’ ଧ୍ବନିରେ ଗଗନପବନ ପ୍ରକମ୍ପିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଜର୍ମାନୀର ନବନିଯୁକ୍ତ ଚାନସେଲର ଓଲାଫ ସ୍କଲ୍‌ଜଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଏହାପରେ ସେ ଡେନମାର୍କ ଓ ଫ୍ରାନ୍ସ ଯିବେ।

ସମ୍ବନ୍ଧିତ ଖବର