ମଧ୍ୟପ୍ରଦେଶ ବିମାନ ଦୁର୍ଘଟଣା: ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟଙ୍କ ମୃତ୍ୟୁ, ପ୍ରଶିକ୍ଷକଙ୍କ ପତ୍ତା ନାହିଁ

ଭୋପାଳ: ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣାଗ୍ରସ୍ତ। ଗଲା ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟଙ୍କ ଜୀବନ। ଦୁର୍ଘଟଣା ପରେ ମିଳୁନି ପ୍ରଶିକ୍ଷକଙ୍କ ପତ୍ତା। ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ ବିମାନଟି କିର୍ନାପୁର ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ଭାକ୍କୁଟୋଲା ପାହାଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଟିସି ଗୋଣ୍ଡିଆ ନିଶ୍ଚିତ କରିଛି ଯେ ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟ ରୁକାଶଙ୍କାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ପ୍ରଶିକ୍ଷଣ ବିମାନରେ ଥିବା ପ୍ରଶିକ୍ଷକ ପାଇଲଟ ମୋହିତଙ୍କ ପତ୍ତା ମିଳିନି। ଏବେ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରଶିକ୍ଷଣ ବିମାନ ବାଲାଘାଟ ସୀମାବର୍ତ୍ତୀ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାରେ ଥିବା ବିର୍ସି ବିମାନବନ୍ଦରରୁ ଉଡ଼ାଣ କରିଥିଲା। ଏହାର କିଛି ସମୟ ପରେ ବିମାନଟି ଦୁର୍ଘଟଣାର ଶିକାର ‌ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସାମ୍ନାକୁ ଅସିପାରିନାହିଁ।

ଏହା ପୂର୍ବରୁ ମାର୍ଚ୍ଚ ୧୬ରେ  ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ୨ଜଣ ପାଇଲଟ ପ୍ରାଣ ହରାଇଥିଲେ । ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ଚିତା ହେଲିକପ୍ଟର। ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ ପରୀକ୍ଷାମୂଳକ ଉଡ଼ାଣ କରିଥିଲା ​​ଏବଂ ଏହାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର(ଏଟିସି) ସହିତ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ପରେ ଏନେଇ ଯାଞ୍ଚ କରାଯିବାରୁ ବୋମ୍ଡିଲାର ପଶ୍ଚିମରେ ଥିବା ମଣ୍ଡଲା ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା। ଦୁର୍ଘଟଣାର ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିବା ବେଳେ ଏଥିରେ ଥିବା ଉଭୟ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ହେଲିକପ୍ଟର ଚଳାଉଥିବା ଦୁଇ ପାଇଲଟ୍ ଲ୍ୟୁଟନାଣ୍ଟ କଲୋନେଲ୍ ଭିଭିବି ରେଡ୍ଡି ଓ ମେଜର ଜୟନାଥ ଦୁର୍ଘଟଣାରେ ପ୍ରା‌ଣହରାଇଥିବା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର