ପରକୀୟାରେ ଲିପ୍ତ ମହିଳାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଲେ ଗ୍ରାମବାସୀ

ଅଗରତାଲା (ତ୍ରପୁରା): ଜନୈକା ୪୦ ବର୍ଷ ବୟସ୍କା ବିବାହିତା ତଥା ଦୁଇଟି ସନ୍ତାନର ଜନନୀଙ୍କୁ ପରକୀୟାରେ ଲିପ୍ତ ହେବା ମହଙ୍ଗା ପଡ଼ିଛି। ସଂପୃକ୍ତା ମହିଳା ତାଙ୍କର ପଡ଼ୋଶୀ ଥିବା ଅନ୍ୟ ଜଣେ ବିବାହିତ ଯୁବକ ରଣଜିତ ଦାସଙ୍କ ସହ ପରକୀୟାରେ ଲିପ୍ତ ହେବା ସହ ତାଙ୍କ ସହ ଅନୈତିକ ସଂପର୍କ ରଖିଥିଲେ। ଏକଥା ଜଣାପଡ଼ିବା ପରେ ଗ୍ରାମର ଏକାଧିକ ମହିଳା ଓ ପୁରୁଷ ସଂଘବଦ୍ଧ ହୋଇ ତାଙ୍କୁ ନିର୍ଘାତ ମାଡ଼ ମାରିବା ସହ ତାଙ୍କୁ ଗଛରେ ବାନ୍ଧି ପକାଇ ଜୋତାମାଳ ପିନ୍ଧାଇ ନିର୍ଯାତନା ଦେଇଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବା ସହ ତାଙ୍କ ସହ ପରକୀୟାରେ ଲିପ୍ତ ଥିବା ରଣଜିତ ଦାସକୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ଏହି ଘଟଣା ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲା ଠାରୁ ୮୬ କିଲୋମିଟର ଦୂରବର୍ତ୍ତୀ ଗୋମତି ଜିଲ୍ଲା ଅନ୍ତର୍ଗତ ବୂର୍ବା ରଙ୍ଗମାଟି ଅଞ୍ଚଳରେ ଗତ ବୁଧବାର ଦିନ। ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ରଣଜିତଙ୍କ ପତ୍ନୀ ସଂପୃକ୍ତା ମହିଳା ଜଣଙ୍କୁ ରଣଜିତଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବା ପରେ ଘଟଣା ସଂପର୍କରେ ଗ୍ରମବାସୀଙ୍କୁ କହିଥିଲେ। ପରେ ଗ୍ରାମବାସୀମାନେ ସଂପୃକ୍ତା ମହିଳାଙ୍କୁ ନିର୍ଘାତ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ। ଏବେ, ମହିଳାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଲୋକମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ଘଟଣା ବୁଧବାର ଘଟିଥିବା ବେଳେ ଦେଶର ସର୍ବୋଚ୍ଚ ଅଦାଲତ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପରକୀୟା ଏକ ଅପରାଧ ନୁହେଁ ବୋଲି ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର