ଏମିତି ବି ଆସେ ମୃତ୍ୟୁ: ରାତିରେ ଶୋଇଥିବା ବେଳେ ଟ୍ରକ ଚଢ଼ି ଯିବାରୁ ୮ଜଣଙ୍କ ହେଲା ମୃତ୍ୟୁ

ଅମ୍ରୋଲି: ଗୁଜୁରାଟ ଅମ୍ରୋଲି ଜିଲ୍ଲାର ଏକ ଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୩ବର୍ଷର ଦୁଇଜଣ ପିଲା ବି ରହିଛନ୍ତି। ଆଉ ଦୁଇଜଣ ଏଥିରେ ଗୁରୁତର ଆହତ ବି ହୋଇଥିବା  ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆମ୍ରୋଲି ପୁଲିସ ସୂତ୍ରରୁ ପ୍ରକାଶ, ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆମ୍ରୋଲିର ସାବାର୍କଣ୍ଡଲାର ବାଦ୍ଦା ଗ୍ରାମ ନିକଟରେ ଟ୍ରକ ଚାଳକଙ୍କ ଆଖି ଲାଗି ଯିବାରୁ  ଟ୍ରକଟି ନିୟନ୍ତ୍ରଣ ହରାଇଥିଲା। ଫଳରେ ରାସ୍ତାପାର୍ଶ୍ବରେ ଥିବା ଝୁପୁଡ଼ି ଘର ଉପରକୁ ଟ୍ରକ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଉକ୍ତ ଝୁପୁଡ଼ିରେ ଶୋଇଥିବା ୮ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ରାସ୍ତାକଡରେ ଥିବା ଏହି ଝୁପୁଡ଼ିରେ ପ୍ରାୟ ୧୦ ଜଣ ଶ୍ରମିକ ଶୋଇଥିବା କୁହାଯାଉଛି। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକକୁ ପୁଲିସ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ ଜବତ କରିଛି ।  ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଗୁରୁତରଙ୍କୁ ଉଚିତ ଚିକିତ୍ସା ପ୍ରଦାନ କରିବାକୁ ନିର୍ଦେଶ ଦେବା ସହ ପ୍ରତ୍ୟେକ ପୀଡିତ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର