ବିଛଣାରେ ନିଅାଁ ଲାଗିବାରୁ ଦୁଇ ଶିଶୁଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ରବିବାର ସକାଳେ ଇଲେକ୍‌ଟ୍ରୋନିକ୍‌ ସିଟି ଥାନା ଅଞ୍ଚଳରେ ନିଜ ଘରେ ଖେଳୁଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ଶ୍ୱାସ ରୁଦ୍ଧ ହୋଇ ଦୁଇ ଜଣ ପିଲାଙ୍କର ମୃତ୍ୟୁ ଘଟିଛି।

ମୃତ ପିଲା ଦୁହେଁ ହେଉଛନ୍ତି। ଦେବେନ୍ଦ୍ର ଓ ରୂପଶ୍ରୀଙ୍କ ୫ ବର୍ଷିୟ ପୁଅ ସୃଜନ ଏବଂ ୨ ବର୍ଷୀୟ ଲକ୍ଷ୍ମୀ।

ଦମ୍ପତି ଦେବେନ୍ଦ୍ର ଓ ରୂପଶ୍ରୀ ଦେଢ଼ ବର୍ଷ ତଳେ ନେପାଳରୁ ଆସି ଏହି ସହରରେ ରହୁଛନ୍ତି।

ପୁଲିସ କହିଛି, ଲକ୍ଷ୍ମୀ ପରଘରେ କାମ କରୁଥିବା ବେଳେ ଦେବେନ୍ଦ୍ର ହୋସୁର ରୋଡ୍‌ ନିକଟ ବାସପୁରାରେ ଥିବା ପାରାଡାଇଜ୍‌ ଆପାର୍ଟମେଣ୍ଟ୍‌ରେ ସିକ୍ୟୁରିଟି ଗାର୍ଡ କାମ କରନ୍ତି।

ରହିବା ପାଇଁ ଆପାର୍ଟମେଣ୍ଟ୍‌ ମାଲିକ ସେମାନଙ୍କୁ ତଳ ମହଲାରେ ଛୋଟିଆ କୋଠରିଟିଏ ଦେଇଥିଲେ।

ସକାଳ ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ପିଲାମାନଙ୍କୁ ଘର ଭିତରେ ଛାଡ଼ି କବାଟ କିଳି କାମକୁ ଚାଲିଗଲେ। ଦେବେନ୍ଦ୍ର ଆପାର୍ଟମେଣ୍ଟ୍‌ର ପ୍ରବେଶ ପଥରେ ବସିଥିଲେ।

ଦିବା ୧୧ଟା ବେଳେ ଫେରି ଲକ୍ଷ୍ମୀ ଘରୁ ଧୂଅାଁ ବାହାରୁ ଥିବା ଦେଖିବା ପରେ ଘଟନା ଜଣାପଡ଼ିଥିଲା। ସେ ତୁରନ୍ତ କବାଟ ଖୋଲି ଦେଖିଲେ ଯେ ବିଛଣା ଜଳୁଛି ଓ ଦୁଇ ପିଲା ତଳେ ଶୋଇଛନ୍ତି।

ତାଙ୍କର ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସି ନିଅାଁ ଲିଭାଇଲେ। ପିଲା ଦୁହିଁଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଗଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଘଟନାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କଲେ। ପୁଲିସ ସନ୍ଦେହ କରୁଛି ଯେ ପିଲା ଦୁହେଁ ଦିଆଶିଲି ବାକ୍ସରେ ଖେଳୁଥିବାଳେ ଦୈବାତ୍‌ ଜଳିଉଠି ବିଛଣାରେ ନିଅାଁ ଲାଗିଯାଇଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ଘର ଦୁଆର ସମେତ ଝରକା ଆଦି ବନ୍ଦ ଥିବାରୁ ଧୂଅାଁ ଯିବାକୁ ବାଟ ନ ଥିଲା। ବୋଧହୁଏ ଦୁଇ ଜଣ ବାହାରି ଯିବାକୁ ଉଦ୍ୟମ କରିଥିବେ, କିନ୍ତୁ ଅମ୍ଳଜାନ ଅଭାବରୁ ଚେତା ହରାଇଥିଲେ।

ସେମାନଙ୍କ ଦେହରେ ପୋଡ଼ା ଚିହ୍ନ ନାହିଁ ଓ ସେମାନେ ଶ୍ୱାସରୁଦ୍ଧ ହୋଇ ମରିଛନ୍ତି।

ଆପାର୍ଟମେଣ୍ଟ୍‌ ପଛ ପଟେ ଘର ହୋଇଥିବାରୁ ଦେବେନ୍ଦ୍ର ଧୂଅାଁ କି, ପିଲାଙ୍କ ଚିତ୍କାର ଶୁଣି ପାରି ନ ଥିଲେ।

ସମ୍ବନ୍ଧିତ ଖବର