ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ଥିବା ୨ ଭାରତୀୟ କରୋନା ଭାଇରସ ସଂକ୍ରମିତ, ସ୍ପଷ୍ଟ କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ : କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସ୍‌ରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୧୭୪ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ବୋଲି ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି । ଏହି ୧୭୪ ଜଣ ସଂକ୍ରମିତ ଲୋକଙ୍କ ମଧ୍ୟରେ ୨ ଭାରତୀୟ ଥିବା ଜଣାଯାଇଛି । ଏ ସଂପର୍କରେ ଜାପାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ସପ୍ତାହରେ ଏହି ବିଳାସମୟ ଜାହାଜଟି ଜାପାନ ଉପକୂଳରେ ଲାଗିଥିଲା । କରୋନା ଭାଇରସ ସଂକ୍ରମଣ କାରଣରୁ ଏହି ଜାହାଜକୁ ଜାପାନ ସରକାର ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଓ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଦେଉନାହାନ୍ତି । ଏଥିରେ ଯାତ୍ରା କରି ହଂକଂରେ ଓହ୍ଲାଇଯାଇଥିବା ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଯାତ୍ରୀମାନଙ୍କ ଶରୀରକୁ ସଂକ୍ରମଣ ବ୍ୟାପିଥିବା ସଂଦେହ କରାଯାଉଛି । ଏହି ଜାହାଜରେ ମୋଟ ୧୩୮ ଜଣ ଭାରତୀୟ ଥିବା ଜଣାଯାଇଛି । ସଂକ୍ରମିତ ପ୍ରମାଣିତ ହୋଇଥିବା ୧୭୪ ଜଣ ବ୍ୟକ୍ତିଙ୍କୁ ହସପିଟାଲ ନିଆଯାଇ ଚିକିତ୍ସା କରାଯାଉଛି । ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଜାହାଜରେ ଫସିରହିଥିବା ଭାରତୀୟମାନଙ୍କୁ ଭେଟି ସେମାନଙ୍କୁ ସବୁପ୍ରକାରର ସହାୟତା କରିବାକୁ ଆଶ୍ୱାସନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଚୀନ ସମେତ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । କେବଳ ଚୀନରେ ଏହି ଭାଇରସରେ ସଂକ୍ରମିତ ହୋଇ ୧୧୦୦ରୁ ଅଧିକ ଲୋକ ପ୍ରାଣ ହରେଇସାରିଲେଣି । ଏବେ ପ୍ରାୟ ୨୬ ଟି ଦେଶକୁ ଏହା ବ୍ୟାପିସାରିଲାଣି ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର