ରୁଷ୍ର ବିଶାଳ ସେନା ମୁତୟନ ପ୍ରକ୍ରିୟା ଜାରି
ଉପଗ୍ରହ ଚିତ୍ରରେ ନୂଆ ସାମରିକ ବ୍ରିଜ୍
ଆମେରିକାର ଦାବି: ରୁଷ୍ ଅଧିକ ୭ ହଜାର ସୈନ୍ୟ ମୁତୟନ କରିଛି
ମସ୍କୋ : ୟୁକ୍ରେନ୍ ସୀମାରୁ ରୁଷ୍ ସୈନ୍ୟ ପ୍ରତ୍ୟାହାର କରିଥିବା ନେଇ ଯେଉଁ ଦାବି କରିଛି ତାହାକୁ ଆମେରିକା ତଥା ନାଟୋ ରାଷ୍ଟ୍ରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ବିପଦ ବହୁତ ଅଧିକ ରହିଛି। ଆଗାମୀ କିଛି ଦିନ ମଧ୍ୟରେ ଆକ୍ରମଣ ସମ୍ଭାବନା ରହିଛି। ତେବେ ଏହି ପ୍ରସଙ୍ଗରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବାର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି। ଇତି ମଧ୍ୟରେ ରୁଷ୍ ମସ୍କୋରେ ଥିବା ଆମେରିକାର ୨ ଜଣ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଆମେରିକା କହିଛି ରୁଷ୍ ବିନା କାରଣରେ ଆମ କୂଟନୀତିଜ୍ଞଙ୍କୁ ହଟାଇଛି।
ଗୁରୁବାର ଦିନ ଜାରି ହୋଇଥିବା ନୂଆ ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି ଯେ ରୁଷ୍ ବେଲାରୁସ୍, କ୍ରିମିଆ ଏବଂ ପଶ୍ଚିମ ରୁଷ୍ରେ ସାମରିକ ଶକ୍ତି ବଢ଼ାଇଛି। ରୁଷ୍ ପୁଣି ସୈନ୍ୟ ମୁତୟନ ବଢ଼ାଇଛି ଏବଂ କ୍ରିମିଆ ଓ ପଶ୍ଚିମ ରୁଷ୍ରେ ଅସ୍ତ୍ରଶସ୍ତ୍ର ଠୁଳ କରିଛି। ବେଲାରୁସ୍ର ଆଗୁଆ ଅଞ୍ଚଳରେ ରୁଷ୍ ଲଢ଼ୁ୍ଆ ହେଲିକପ୍ଟର ମୁତୟନ କରିଛି। ରୁଷ୍ ପୁଣି ଦିନକ ମଧ୍ୟରେ ଆଉ ୭ ହଜାର ସେନା ମୁତୟନ କରିଛି ବୋଲି ଆମେରିକା ସତର୍କ କରାଇ ଦେଇଛି। ବିଶେଷ କରି ୟୁକ୍ରେନ୍ର ଉତ୍ତର ଏବଂ ଉତ୍ତରପୂର୍ବ ଅଞ୍ଚଳରେ ରୁଷ୍ ଏହାର ସେନା ସଂଖ୍ୟା ବଢ଼ାଇଛି। ଉତ୍ତର ଏବଂ ଦକ୍ଷିଣ ୟୁକ୍ରେନ୍ରେ ରୁଷ୍ ୧୫୦,୦୦୦ରୁ ଅଧିକ ସୈନ୍ୟ ମୁତୟନ କରିଛି। ୟୁକ୍ରେନ୍ ନିକଟରେ ରୁଷ୍ର ବିଶାଳ ସେନାବାହିନୀ, କ୍ଷେପଣାସ୍ତ୍ର ଏବଂ ଯୁଦ୍ଧଜାହାଜ ମୁତୟନରୁ ଏହା ଜଣାପଡ଼ୁଛି ଯେ ୟୁରୋପ୍ ଶୀତଳ ଯୁଦ୍ଧ ପରେ ସବୁଠାରୁ ବଡ଼ ବିପଦର ସମ୍ମୁଖୀନ ହେଉଛି। ତେବେ ସେନା ମୁତୟନ ସଂକ୍ରାନ୍ତ ଆମେରିକାର ଦାବିକୁ ରୁଷ୍ ଖଣ୍ଡନ କରିଛି ଏବଂ ଏହା ବେଲାରୁସ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିଥିବା କହିଛି।
ରୁଷ୍ ସୀମିତ ଆକ୍ରମଣ କରିପାରେ: ଗୁଇନ୍ଦା ରିପୋର୍ଟ
ମସ୍କୋ : ୟୁକ୍ରେନ୍ ନିକଟରେ ରୁଷ୍ ସେନା ସଂଖ୍ୟା ବଢ଼ାଇ ଚାଲିଛି। ୟୁକ୍ରେନ୍ ବିରୋଧରେ ରୁଷ୍ ସୀମିତ ସାମରିକ ଆକ୍ରମଣ କରିପାରେ ବୋଲି ଇଷ୍ଟୋନିଆ ବିଦେଶ ଗୁଇନ୍ଦା ସେବା ମୁଖ୍ୟ କହିଛନ୍ତି। ଇଷ୍ଟୋନିଆ ବିଦେଶ ଗୁଇନ୍ଦା ସେବା ମହାନିର୍ଦ୍ଦେଶକ ମିକ୍ ମାରନ୍ କହିଛନ୍ତି, ୟୁକ୍ରେନ୍ର କେତେକ ପ୍ରମୁଖ ଅଞ୍ଚଳରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିପାରେ। ରୁଷ୍ ଅଧିକ ଜନସଂଖ୍ୟା ଥିବା ବଡ଼ ସହରରେ ଆକ୍ରମଣ କରିନପାରେ। କାରଣ ଉକ୍ତ ଅଞ୍ଚଳଗୁଡ଼ିକୁ ନିୟନ୍ତ୍ରଣ କରିବାପାଇଁ ଅଧିକ ସେନା ମୁତୟନ ଆବଶ୍ୟକ। ଇଷ୍ଟୋନିଆ ଗୁଇନ୍ଦା ମୁଖ୍ୟ କହିଛନ୍ତି, ୟୁକ୍ରେନ୍ ସୀମାରେ ରୁଷ୍ ସାମରିକ ବାହିନୀ ଶତାଧିକ ୟୁନିଟ୍ ସକ୍ରିୟ ରହିଛି ଏବଂ ୧୭୦,୦୦୦ ସୈନ୍ୟ ମୁତୟନ ହୋଇ ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ରୁଷ୍ ଲଗାତାର ଦାବି କରୁଛି ଯେ ୟୁକ୍ରେନ ଉପରେ କୌଣସି ଆକ୍ରମଣ ଯୋଜନା କରିନାହିଁ। କିନ୍ତୁ ବାସ୍ତବ ସ୍ଥିତି ଅଲଗା ରହିଥିବାରୁ ରୁଷ୍ର ଆଭିମୁଖ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି।