ୟୁକ୍ରେନ୍‌ ବହୁ ଦୂତାବାସରେ ପହଞ୍ଚୁଛି ଜୀବଜନ୍ତୁ ଆଖି ଭର୍ତ୍ତି ରକ୍ତରଞ୍ଜିତ ପାର୍ସଲ୍ ଓ ଚିଠି ବୋମା: ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ସପ୍ତାହ ପ୍ରାରମ୍ଭରେ ୟୁରୋପ୍‌ରେ ଥିବା କେତକ ୟୁକ୍ରେନୀୟ ଦୂତାବାସରେ ଜୀବଜନ୍ତୁଙ୍କ ଆଖି ଭର୍ତ୍ତି ରକ୍ତରଞ୍ଜିତ ପାର୍ସଲ୍‌ ଓ ଚିଠି-ବୋମା ପହଞ୍ଚିଥିବା କଥା ୟୁକ୍ରେନ୍‌ ଓ ସ୍ପେନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

ଶୁକ୍ରବାର ଦିନ ମଧ୍ୟ ମେଡ୍ରିଡ୍‌ସ୍ଥିତ ୟୁକ୍ରେନ୍‌ ଦୂତାବାସରେ ଜୀବଜନ୍ତୁଙ୍କ ଆଖି ଭର୍ତ୍ତି ପାର୍ସଲ୍‌ଟିଏ ପହଞ୍ଚିଥିଲା। ସେଥିପାଇଁ, ପୁଲିସ ସ୍ପେନୀୟ ରାଜଧାନୀ ପରିସରରେ କର୍ଡନ୍‌ କରି ସନ୍ଧାନୀ କୁକୁରଙ୍କଦ୍ବାରା ସ‌େ ଅଞ୍ଚଳ ତଲାସ କରିଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।

ଚିଠି ବୋମା ହେଉ କି, ବୋମା ଅଛି ବୋଲି ମିଥ୍ୟା ଧମକ ଚିଠି ହେଉ ଅଥବା ଗୋରୁ ଓ ଘୁଷୁରିଙ୍କ ଆଖି ଥିବା ପାର୍ସଲ୍‌ ହେଉ- ୟୁକ୍ରେନୀୟ ଦୂତାବାସ ସବୁ ଏହି ଧରଣର ୧୭ଟି ପାର୍ସଲ୍‌ ପାଇଛନ୍ତି।

Image Courtesy of The Business Standard

‘ରଏଟର୍ସ’ ରିପୋର୍ଟ ଅନୁସାରେ, ନିର୍ଦ୍ଦିଷ୍ଟ ରଙ୍ଗ ଓ ଗନ୍ଧ ଥିବା ତରଳ ପଦାର୍ଥରେ ଭିଜା ଯାଇଥିବା ଉକ୍ତ ପାର୍ସଲ୍‌ଗୁଡ଼ିକ ହଙ୍ଗେରି, ନେଦର୍‌ଲାଣ୍ଡସ୍‌, ପ‌ୋଲାଣ୍ଡ୍‌, କ୍ରୋଏସିଆ ଏବଂ ଇଟାଲିସ୍ଥିତ ଦୂତାବାସ ଏବଂ ନେପ୍‌ଲସ୍‌ ଓ କ୍ରକୋଓରେ ଜେନେରାଲ୍‌ କନ୍‌ସୁଲେଟ୍‌ ଏବଂ ବର୍ଣ୍ଣୋରେ ଥିବା କନ୍ସୁଲେଟ୍‌କୁ ପଠାଯାଇଥିବା କଥା ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓଲେଗ୍‌ ନିକୋଲେଙ୍କୋ କହିଛନ୍ତି।

‌‘ଫେସ୍‌ବୁକ୍‌’ରେ ପ‌ୋଷ୍ଟ୍‌ କରିଥିବା ବିବୃତିରେ ନିକୋଲେଙ୍କୋ ଲେଖିଛନ୍ତି, ଆମେ ଏହି ବାର୍ତ୍ତାର ଅର୍ଥ ଅଧ୍ୟୟନ କରୁଛୁ। ଉପରୋକ୍ତ ଦୂତାବାସ ଓ କନ୍‌ସୁଲେଟ୍‌ ସବୁକୁ କଡ଼ା ନିରାପତ୍ତା ଯୋଗାଇ ଦେବା ପାଇଁ ବୈଦେଶିକ ମନ୍ତ୍ରୀ ଡିମିଦ୍ରୋ କୁଲେବା ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର