କାଶ୍ମୀରକୁ ପାଲେଷ୍ଟାଇନ୍‌ ସହ ତୁଳନା କଲେ ଜାତିସଂଘ ମହାସଭା ଅଧ୍ୟକ୍ଷ

ଇସଲାମାବାଦ(ପାକିସ୍ତାନ) : ଜାତିସଂଘ ମହାସଭା ଅଧ୍ୟକ୍ଷ ଭୋଲ୍‌କାନ୍‌ ବୋଜକିର୍‌ ଭାରତର କାଶ୍ମୀରକୁ ପାଲେଷ୍ଟାଇନ୍‌ ସହ ତୁଳନା କରିବା ସହ ଏହାର ସମାଧାନ ପାଇଁ ପାକିସ୍ତାନକୁ ଉସୁକାଇବା ଘଟଣା ଆଲୋଡ଼ନ ଆଣିଦେଇଛି। ଗୁରୁବାର ଇସଲାମାବାଦ ଠାରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସିଙ୍କ ସହ ଆଲୋଚନା ସାରି ଭୋଲ୍‌କାନ୍‌ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇଥିଲେ। ଏଥିରେ ସେ କାଶ୍ମୀର ବିବାଦ ପାଇଁ ମର୍ମାହତ ବୋଲି କହିଥିଲେ। ସେହିପରି ଏହି ସମସ୍ୟାର ସମାଧାନ ପାଇଁ ପ୍ରବଳ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି ଏବଂ ପାକିସ୍ତାନ ଏହି ପ୍ରସଙ୍ଗକୁ ଠିକ୍‌ ଠଙ୍ଗରେ ଏବଂ ଦୃଢ଼ ଭାବରେ ଜାତିସଂଘ ମଞ୍ଚରେ ଉତ୍ଥାପନ କରିବାର ସମୟ ଆସିଛି ବୋଲି ଭୋଲ୍‌କାନ୍‌ ପରାମର୍ଶ ଦେଇଥିଲେ।

ଏପରିକି ଏହା ପାକିସ୍ତାନର ନୈତିକ କର୍ତ୍ତବ୍ୟ କହି ପରୋକ୍ଷରେ ପାକିସ୍ତାନକୁ ଏହି ପ୍ରସଙ୍ଗ ଉଠାଇବା ପାଇଁ ଉତ୍ସାହିତ କରିଥିଲେ। ଏଥି ସହିତ କାଶ୍ମୀର ସମସ୍ୟାକୁ ସେ ପାଲେଷ୍ଟାଇନ୍‌ ସହ ତୁଳନା କରିବାକୁ ମଧ୍ୟ ଭୁଲିନଥିଲେ। ଦୁଇଟି ଯାକ ପ୍ରସଙ୍ଗ ସମସାମୟିକ ହୋଇଥିଲେ ହେଁ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଠିକ୍‌ରେ ଉପସ୍ଥାପନା କରିପାରିନାହିଁ ବୋଲି ସେ କହିଛନ୍ତି। ସେହିପରି ଜାମ୍ମୁକାଶ୍ମୀର ସ୍ଥିତିରେ ପରିବର୍ତ୍ତନ ଆଣିବା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ଜରୁରୀ। ସେହିପରି ଉଭୟ ଭାରତ ଓ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଜାତିସଂଘର ଘୋଷଣାପତ୍ର ଓ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଓ ସିମଳା ରାଜିନାମା ଅନୁସାରେ ଶାନ୍ତିପୁର୍ଣ୍ଣ ଭାବେ ସମାଧାନ କରିବା ଆବଶ୍ୟକ ବୋଲି କହିଛନ୍ତି। ପାକିସ୍ତାନ ଉପଲବ୍‌ଧ କରାଉଥିବା ଭୁଲ ତଥ୍ୟକୁ ଭିତ୍ତି କରି ଭାରତ ୨୦୧୯ ଅଗଷ୍ଟରେ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଦେଲା ବୋଲି ଭୋଲ୍‌କାନ୍‌ ପାକିସ୍ତାନକୁ ଆକ୍ଷେପ କରିବା ସହ ଏହାର ସମାଧାନ ପାଇଁ ପାକିସ୍ତାନ ଉଚିତ ପଦକ୍ଷେପ ଉଠାଇବାକୁ କହିଛନ୍ତି।

ସମ୍ବନ୍ଧିତ ଖବର