ଜଳବାୟୁ ସ୍ଥିତି ନେଇ ଜାତିସଂଘର ଚେତାବନୀ: ଆଗାମୀ ଦଶନ୍ଧିରେ ସ୍ଥିତି ସାଂଘାତିକ ହେବ

ଜେନେଭା: ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ନେଇ ବିଶ୍ବ ପାଣିପାଗ ବିଜ୍ଞାନ ସଂସ୍ଥା ଉଦ୍‌ବେଗ ପ୍ରକାଶ କରିଛି। ଏହି ରିପୋର୍ଟ ଆଧାରରେ ୨୦୨୦ ଏବଂ ଆଗାମୀ ବର୍ଷମାନଙ୍କରେ ପାଣିପାଗ ସ୍ଥିତି ଅତି ସାଂଘାତିକ ହେବ ବୋଲି ମିଳିତ ଜାତିସଂଘ ଚେତାବନୀ ଦେଇଛି। ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରି ବିଶ୍ବ ପାଣିପାଗ ବିଜ୍ଞାନ ସଂସ୍ଥା ପୂର୍ବାନୁମାନ କରିଛି ଯେ ୨୦୨୦ ଏବଂ ଆଗାମୀ ବର୍ଷମାନଙ୍କରେ ବିଶ୍ବର ତାପମାତ୍ରା ଅତି ମାତ୍ରାରେ ବୃଦ୍ଧି ପାଇବ। ଏହା ଫଳରେ ହିମବାହ ତରଳିବା ସହ ସମୁଦ୍ର ପତ୍ତନ ରେକର୍ଡ ପରିମାଣରେ ବୃଦ୍ଧି ପାଇବ । ଏହା ଫଳରେ ୨୦୨୦ରୁ ‘ସଂଘାତିକ ପାଣିପାଗ’ ହେବ ବୋଲି ଜାତିସଂଘ ଚେତାବନୀ ଦେଇଛି।

ବିଶ୍ବ ପାଣିପାଗ ବିଜ୍ଞାନ ସଂସ୍ଥାର ତଥ୍ୟ ଅନୁସା‌ରେ, ୨୦୧୬ ତୁଳନାରେ ୨୦୧୯ ସବୁଠୁ ଉତ୍ତପ୍ତ ବର୍ଷ ଥିଲା। ମାତ୍ର ୨୦୧୯ଠାରୁ ୨୦୨୦ ଅଧିକ ଉତ୍ତପ୍ତ ହେବ ବୋଲି ଅନୁମାନ କରାଯାଉଛି। ବିଶ୍ବ ତାପାୟନ ଯୋଗୁଁ ଅଷ୍ଟ୍ରେଲିଆରେ ବନାଗ୍ନି ଭଳି ପରିସ୍ଥିତି ଉପୁଜିଛି। ଏଥିରେ ୨୮ ଜଣ ବ୍ୟକ୍ତିଙ୍କ ସମେତ ଲକ୍ଷାଧିକ ପଶୁପକ୍ଷୀଙ୍କ ଜୀବନ ଯାଇଛି। ଅଷ୍ଟ୍ରେଲିଆ ବନାଗ୍ନିରେ ୨ ହଜାର ଘର ସମେତ ମୋଟ ଏକ ଲକ୍ଷ ବର୍ଗ କିଲୋମିଟର ଜଙ୍ଗଲ ପୋଡ଼ି ଧ୍ବଂସ ପାଇଯାଇଛି। ତେବେ ୨୦୨୦ ଏହାଠୁ ଅଧିକ ଉତ୍ତପ୍ତ ହେବାକୁ ଥିବାବେଳେ ଏ ନେଇ ସର୍ବାଧିକ ସତର୍କ ରହିବାକୁ ଜାତିସଂଘ ଚେତାଇ ଦେଇଛି। ୧୯୮୦ ପରଠାରୁ ପୃଥିବୀ ନିୟମିତ ଭାବେ ଉତ୍ତପ୍ତ ହୋଇଚାଲିଛି। ମନୁଷ୍ୟକୃତ ସବୁଜ ଗ୍ୟାସ୍‌ ନିର୍ଗମନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ସବୁଜ ଗ୍ୟାସ୍‌ ନିର୍ଗମନକୁ ରୋକିବା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ଜାତିସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର