ଚୀନ୍‌କୁ ସାମନା କରିବା ଆଗରୁ ତା’କୁ ଭଲରେ ବୁଝିବାକୁ ହେବ

ନୂଆଦିଲ୍ଲୀ: ଲଦାଖ ସୀମାରେ ସୃଷ୍ଟ ସାମ୍ପ୍ରତିକ ସ୍ଥିତି କାହିଁକି, ପୂର୍ବର ଅନେକ ଉଦାହରଣରୁ ଏହା ସ୍ପଷ୍ଟ ଯେ ଆଗାମୀ ଦଶନ୍ଧି ଦଶନ୍ଧି ଧରି ଭାରତ ପ୍ରତି ଚୀନ୍ ହିଁ ସବୁଠୁ ବଡ଼ ସାମରିକ ବିପଦ ଭାବେ ତିଷ୍ଠି ରହିଥିବ। ବେଜିଂ ପ୍ରଶାସନ ଯେ କେବଳ ସାମରିକ ଦୃଷ୍ଟିକୋଣରୁ କିଛି ଗୁରୁତ୍ବପୂର୍ଣ୍ଣ ସୀମାନ୍ତ ଅଞ୍ଚଳ ଦଖଲ କରିବାକୁ ଚାହୁଛି କି ସୀମାରେ ଭାରତର ଭିତ୍ତିଭୂମି ବିକାଶକୁ ବିରୋଧ କରିବାକୁ ଚାହୁଛି, ତାହା ନୁହେଁ; ଏହା ପଛରେ ସମଗ୍ର ଅଞ୍ଚଳରେ ଚୀନ୍‌ର ବଡ଼ଭାଇ ପଣିଆ ଜାହିର କରିବାର ଏକ ଗୋପନ ଅଭିଳାଷ ଜାଗି ରହିଛି। ଏବେ ବେଜିଂ ନିୟନ୍ତ୍ରିତ ଗଣମାଧ୍ୟମ ଓ ଏହାର ଅବସରପ୍ରାପ୍ତ ଅଧିକାରୀମାନେ ଦେଇ ଚାଲିଥିବା ବୟାନରୁ ଚୀନ୍ ସେଭଳି ଏକ ବାର୍ତ୍ତା ଭାରତକୁ ଦେବାକୁ ଚାହୁଥିବା ସ୍ପଷ୍ଟ ହୋଇଛି। ସେଥିରେ ଏସୀୟ ଶକ୍ତି ଅନୁକ୍ରମରେ ଚୀନ୍‌ର ପ୍ରାଧାନ୍ୟକୁ ଭାରତ ମାନିବାକୁ ହେବ, ଆମେରିକା ସହ ଘନିଷ୍ଠତା ବଢ଼ାଇବାରୁ ନିବୃତ୍ତ ରହିବାକୁ ହେବ ଏବଂ ବିଶ୍ବସ୍ତରୀୟ ଭୂମିକା ନିଭାଇବାରେ ଭାରତକୁ ସଂକ୍ଷିପ୍ତ ହେବାକୁ ପଡ଼ିବ ବୋଲି ପରୋକ୍ଷରେ କୁହାଯାଇଛି।

ତେବେ ନୂଆଦିଲ୍ଲୀ କେବେ ବି ନିଜର ସ୍ବାର୍ଥକୁ ବାଜି ଲଗାଇ ଏପରି କରିପାରିବ ନାହିଁ। ବର୍ତ୍ତମାନ ସ୍ଥିତିରେ ଭାରତ ପାଇଁ ଚୀନ୍ ସହ ଏକ କୂଟନୈତିକ ପୁନର୍ଗଠନ, ନିଜର ସାମରିକ ଦକ୍ଷତା ବୃଦ୍ଧି ଏବଂ ଚୀନ୍ ଉପରେ ନିର୍ଭର ନକରିବା ପାଇଁ ଆର୍ଥିକ ଯୋଜନାର ଆବଶ୍ୟକତା ରହିଛି। ତେବେ ଏସବୁ ବାଦ୍ ଭାରତକୁ ଚୀନ୍ ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ କରିବାକୁ ହେବ ଏବଂ ସେଥିଲାଗି ବ୍ୟାପକ ଅର୍ଥ ଖଟାଇବାକୁ ମଧ୍ୟ ହେବ। ଚୀନ୍‌ ପ୍ରସଙ୍ଗରେ ଭାରତ ବର୍ତ୍ତମାନ ନିଜର ସୀମିତ ସଂଖ୍ୟକ ଅବସରପ୍ରାପ୍ତ ଅଧିକାରୀ ଏବଂ ସେନାଧିକାରୀଙ୍କ ଉପରେ ନିର୍ଭର କରୁଛି ଯେଉଁମାନେ କି ଚୀନ୍‌ର ମାତୃଭାଷା ମାଣ୍ଡାରିନ୍‌କୁ ବୁଝିପାରନ୍ତି। ତେବେ ଚୀନ୍‌ର ଆଭିମୁଖ୍ୟକୁ ବିଶଦ ଭାବରେ ହୃଦୟଙ୍ଗମ କରିବା ଲାଗି ଭାରତ ସେଠାକାର ନିର୍ଣ୍ଣାୟକ ତତ୍ତ୍ବ ସମେତ ଏହାର କମୁନିଷ୍ଟ ଦଳର ପରିଚାଳନା, ଚୀନ୍‌ର ଅଧିବାସୀ ଓ ଏହାର ସେନା ମଧ୍ୟରେ ସମ୍ପର୍କ, ଚୀନ୍‌ର ସାମାଜିକ ସ୍ଥିତିକୁ ଚଳମାନ କରୁଥିବା ତାହାର ଆର୍ଥିକ ପ୍ରକ୍ରିୟା ଏବଂ ଡିଜିଟାଲ୍ ପ୍ରାଧାନ୍ୟ ପାଇଁ ତାହାର ଉତ୍କଣ୍ଠା ଆଦି ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ସେଥି ପାଇଁ ଭାରତକୁ ଚୀନୀ ଭାଷାରେ ପ୍ରଶିକ୍ଷଣ, କ୍ଷେତ୍ର ପରିଦର୍ଶନ ଏବଂ ସେ ଦିଗରେ କିଛି ଉତ୍ସର୍ଗୀକୃତ ଅନୁଷ୍ଠାନ ପାଇଁ ବିପୁଳ ଅର୍ଥ ଖଟାଇବାକୁ ପଡ଼ିବ। କାରଣ ଚୀନ୍ ସହ ଯୁଝିବାକୁ ହେଲେ ଚୀନ୍ ବିଷୟରେ ଭଲଭାବରେ ଜ୍ଞାନ ଆହରଣ କରିବାକୁ ହେବ ବୋଲି କୂଟନୀତି ବିଶେଷଜ୍ଞମାନଙ୍କ ମତ।

ସମ୍ବନ୍ଧିତ ଖବର