ଆତଙ୍କବାଦ-ବିବୃତିରୁ ଜାତିସଂଘ ସୁରକ୍ଷା ପରିଷଦ ତାଲିବାନ ନାମ ହଟାଇଲା

ନୂଆଦିଲ୍ଲୀ : ନିକଟରେ କାବୁଲ ବିମାନବନ୍ଦରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଲା ତା’ ଉପରେ ଜାତିସଂଘ ସୁରକ୍ଷା ପରିଷଦ ଏକ ବିବୃତି ଜାରି କରିଛି, ଯେଉଁଥିରେ ବାହାର ଦେଶରେ ଥାଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିବା ଗୋଷ୍ଠୀମାନଙ୍କୁ ସମର୍ଥନ ନ କରିବା ପାଇଁ ଆଫଗାନ୍ ଗ୍ରୁପ୍‌ମାନଙ୍କୁ ନିବେଦନ କରାଯାଇଛି। ଏହି ବିବୃତିର ଗୋଟିଏ ପାରାରେ ତାଲିବାନ ନାମ ଲେଖା ଥିବା‌ବେଳେ ତାହାକୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି।

ଜାତିସଂଘ ସୁରକ୍ଷା ପରିଷଦର ସଭାପତି ପଦ ଏ ମାସରେ ଭାରତ ହାତରେ ରହିଛି। ଭାରତ ଏହି ପରିବର୍ତ୍ତିତ ବିବୃତିକୁ ଅନୁମୋଦନ ଦେଇଛି। ଏହା ପୂର୍ବରୁ ଅଗଷ୍ଟ ୧୬ରେ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଥିଲା ଯେ, ତାଲିବାନ ବା କୌଣସି ଆଫଗାନ ଗୋଷ୍ଠୀ ବା ବ୍ୟକ୍ତି ବାହାର ଦେଶର ଆତଙ୍କବାଦୀମାନଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ଗତବର୍ଷ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ସୟଦ ଆକବରୁଦ୍ଦିନ ଏହି ଦୁଇ ବିବୃତି ଭିତରୁ ପ୍ରଭେଦ କାଢ଼ି କହିଛନ୍ତି ଯେ ନୂତନ ବିବୃତିରୁ ତାଲିବାନ ଶବ୍ଦଟି ଉଠିଯାଇଛି। ତେବେ ତାଲିବାନ ପ୍ରତି ଏହା ଜାତିସଂଘର ନରମ ଆଭିମୁଖ୍ୟକୁ ଦର୍ଶାଉଛି ବୋଲି କେତେକ ମହଲ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର