ଜାତିଭିତ୍ତିକ ଜନଗଣନା‌ ପାଇଁ ଏକତ୍ର ହୋଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତିଦ୍ବନ୍ଦ୍ବୀ ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା କରାଇବା ଆଲୋଚନା ଏବଂ ସେ ସମ୍ବନ୍ଧରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରି ଆଜି ସକାଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଏକ ବହୁଦଳୀୟ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ଏହି ପ୍ରତିନିଧି ଦଳରେ ଥିଲେ ‘ଆର୍‌ଜେଡି’ ମୁଖ୍ୟ ତଥା ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ, ‘ବିଜେପି’ ଜନକ ରାମ, ‘କଂଗ୍ରେସ’ର ଅଜିତ ଶର୍ମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ହିନ୍ଦୁସ୍ତାନୀ ଆୱାମ୍‌ ମୋର୍ଚ୍ଚା’ର ଅଧ୍ୟକ୍ଷ ଜିତନ ରାମ ମାଞ୍ଝି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନୀତୀଶ କୁମାର କହିଛନ୍ତି, ଏ ବାବଦରେ ବିହାର ଏବଂ ସମଗ୍ର ଦେଶବାସୀ ସମାନ ମତପୋଷଣ କରୁଛନ୍ତି। ଆମ ଗୁହାରି ଶୁଣିଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆମେ କୃତଜ୍ଞ। ଏବେ ନିଷ୍ପତ୍ତି ତାଙ୍କ ହାତରେ।

Image Courtesy of The Quint

ତେଜସ୍ବୀ ଯାଦବ କହିଛନ୍ତି, କେବଳ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଜାତିଭିତ୍ତିକ ଜନଗଣନା ଲାଗି ଆଜି ଆମ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲା। ଏବେ ଆମେ ଏ ସଂକ୍ରାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ।

ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ‘ବିଜେପି’ ନେତା ସୁଶୀଲ୍‌ ମୋଦୀ କହିଥିଲେ, ଜାତିଭିତ୍ତିକ ଜନଗଣନାକୁ ‘ବିଜେପି’ କଦାପି ବିରୋଧ କରେନାହିଁ। ବିଧାନସଭା ଏବଂ ପରିଷଦ୍‌ରେ ଏହି ପ୍ରସ୍ତାବନା ମଞ୍ଜୁର ହେବା ବେଳେ ଆମେ ଏଥିରେ ଭାଗ ନେଇଥିଲୁ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ପ୍ରତିନିଧି ଦଳରେ ‘ବିଜେପି’ର ଜଣେ ପ୍ରତିନିଧି ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର