ଆଲିଗଡ଼ ସ୍କୁଲ୍‌ରେ ବଡ଼ଦିନ ପାଳନ ନ କରିବାକୁ ହିନ୍ଦୁ ସଙ୍ଗଠନର ଚେତାବନୀ

ଆଲିଗଡ଼: ବଡ଼ଦିନ ପାଳନ ନ କରିବାକୁ ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ସ୍କୁଲ୍‌ ସମୂହକୁ ସତର୍କ କରାଇ ଦେଇଛି ହିନ୍ଦୁ ଜାଗରଣ ମଞ୍ଚ।
ମଞ୍ଚର ସଦସ୍ୟଙ୍କ କହିବାନୁସାରେ, ବଡ଼ଦିନ ପାଳନ କରିବା ହେଉଛି ଧର୍ମାନ୍ତରଣର ପ୍ରଥମ ସୋପାନ।

ହିନ୍ଦୁ ଜାଗରଣ ମଞ୍ଚର ମହାନଗର ଅଧ୍ୟକ୍ଷ ସୋନୁ ସବିତା ଅଭିଯୋଗ କରିଛନ୍ତି ଯେ ସ୍କୁଲ୍‌କୁ ଖେଳନା ଏବଂ ଉପହାର ନେବା କଥାଟି ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ପ୍ରଭାବିତ କରିବ।

Image Courtesy of The Asian Age

ଗଣମାଧ୍ୟମକୁ ସବିତା କହିଛନ୍ତି: ହିନ୍ଦୁ ପିଲାମାନଙ୍କୁ ଖ୍ରୀଷ୍ଟିଆନ୍‌ମାନଙ୍କ ଉତ୍ସବ ପାଳନ କରିବାକୁ ବାଧ୍ୟ ନ କରିବାକୁ ଆମେ ନିର୍ଦେଶ ଦେଇଛୁ। କାରଣ ଏ ଭଳି କାର୍ଯ୍ୟକ୍ରମ ସିଧାସଳକ ଧର୍ମାନ୍ତରଣକୁ ବାଟ କଢ଼େଇ ନେଉଛି। ଛାତ୍ରଛାତ୍ରୀମାନଙ୍କର ମାନସିକ ଅବସ୍ଥାକୁ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରଭାବିତ କରୁଛି।

ସବିତା ଆହୁରି ଚେତାବନୀ ଦେଇ କହିଛନ୍ତି ଯେ ଯଦି ସ୍କୁଲ୍‌ରେ ଏ ଭଳି କାର୍ଯ୍ୟକ୍ରମ ପାଳନ କରାଯାଏ ମଞ୍ଚ ସେ ସ୍କୁଲ ବିରୋଧରେ ପ୍ରତିବାଦ କରିବ।

ନିର୍ଦେଶାବଳୀ ପାଳନ କରିବାକୁ ଏପର୍ଯ୍ୟନ୍ତ ଆମେ ସ୍କୁଲ୍‌ସମୂହକୁ କହିଛୁ। ଯଦି ଏଭଳି କାର୍ଯ୍ୟକ୍ରମ ବନ୍ଦ ନ କରାଯାଏ ଆମେ ପ୍ରତିବାଦ କରିବୁ। ଯଦି ଏ ଭଳି କାର୍ଯ୍ୟକ୍ରମରେ ଭାଗ ନେବାକୁ ହିନ୍ଦୁମାନଙ୍କୁ ବାଧ୍ୟ କରାଯାଏ ଆମେ ଆଇନ୍‌ର ଆଶ୍ରୟ ନେବୁ।

ସମ୍ବନ୍ଧିତ ଖବର