ବହୁ ବର୍ଷ ଧରି ସହରୀ ନକ୍ସଲ୍‌ମାନେ ‘ସର୍ଦାର ସରୋବର ଡ୍ୟାମ୍‌’ ନିର୍ମାଣ ବନ୍ଦ କରାଇଥିଲେ: ପ୍ରଧାନମନ୍ତ୍ରୀ ମ‌ୋଦୀ

ଅହମଦାବାଦ: ପରିବେଶର କ୍ଷତି କରିବ କହି ରାଜନୈତିକ ପୃଷ୍ଠଭୂମି ଥିବା ସହରୀ ନକ୍ସଲ୍‌ ଓ ବିକାଶ-ବିରୋଧୀ ତତ୍ତ୍ବମାନେ ବହୁ ବର୍ଷ ଅଭିଯାନ ଚଳାଇ ଗୁଜରାଟର ନର୍ମଦା ନଦୀ ଉପରେ ‘ସର୍ଦାର ସରୋବର ଜଳଭଣ୍ଡାର’ ନିର୍ମାଣ ଅଟକାଇଥିଲେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ ଏକତା ନଗରରେ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନ୍‌ଫେରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ଘାଟନ କରି ବିଭିନ୍ନ ରାଜ୍ୟର ପରିବେଶ ମନ୍ତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି।

ସେ କହିଛନ୍ତି, ପରିବେଶର କ୍ଷତି କରିବ କହି ରାଜନୈତିକ ପୃଷ୍ଠଭୂମି ଥିବା ସହରୀ ନକ୍ସଲ୍‌ ଓ ବିକାଶ-ବିରୋଧୀ ତତ୍ତ୍ବମାନେ ବହୁ ବର୍ଷ ଅଭିଯାନ ଚଳାଇ ଗୁଜରାଟର ନର୍ମଦା ନଦୀ ଉପରେ ‘ସର୍ଦାର ସରୋବର ଜଳଭଣ୍ଡାର’ ନିର୍ମାଣ ଅଟକାଇ ଦେଇଥିଲେ। ବିଳମ୍ବ ଯୋଗୁଁ ବିପୁଳ ପରିମାଣର ଅର୍ଥ ଅପଚୟ ହେଲା। ଆଜି ଜଳଭଣ୍ଡାର ନିର୍ମାଣ ଶେଷ ହେବା ପରେ ଆପଣମାନେ ଭଲଭାବେ ବିଚାର କରିପାରୁଥିବେ ସେମାନଙ୍କର ଦାବି କେଡ଼େ ସନ୍ଦେହଜନକ ଥିଲା।

Image Courtesy of The Guardian

ସେ ଆହୁରି ମଧ୍ୟ କହିଛନ୍ତି, ଏବେ ମଧ୍ୟ ଏହି ସହରୀ ନକ୍ସଲ୍‌ମାନେ ସକ୍ରିୟ ଅଛନ୍ତି। ବ୍ୟବସାୟ ଅଥବା ଜୀବନକୁ ସୁଗମ କରିବା ନିମନ୍ତେ ଉଦ୍ଦିଷ୍ଟ ଯୋଜନା ସବୁ ଯେମିତି ଅକାରଣରେ ଅଟକି ନ ଯାଏ ସେଥିପ୍ରତି ସୁନିଶ୍ଚିତ ହେବା ଲାଗି ଆପଣମାନଙ୍କୁ ଅନୁରୋଧ କରୁଛି। ସେଭଳି ଲୋକମାନଙ୍କ ଷଡ଼ଯନ୍ତ୍ରକୁ ମୁକାବିଲା କରିବା ଲାଗି ଆମେ ସନ୍ତୁଳିତ ଆଭିମୁଖ୍ୟ ଅବଲମ୍ବନ କରିବା ଆବଶ୍ୟକ।

ସୂଚନାଯୋଗ୍ୟ, ନକ୍ସଲ୍‌ବାଦ/ମାଓବାଦ ଓ ନିର୍ଦ୍ଦିଷ୍ଟ ସାମାଜିକକର୍ମୀମାନଙ୍କ ପ୍ରତି ଥିବା ସମର୍ଥନକୁ ରାଜନୈତିକ ପରିସରରେ ‘ଅର୍ବାନ୍‌ ନକ୍ସଲ୍‌’ (ସହରୀ ନକ୍ସଲ) କୁହାଯାଇଥାଏ।

ସମ୍ବନ୍ଧିତ ଖବର