ଆମ ସୁରକ୍ଷା ପାଇଁ ଆମେରିକା ଏକ ସ୍ପଷ୍ଟ ନୀତି ଘୋଷଣା କରୁ : ତାଇଓ୍ବାନ

ତାଇପେଈ : ଆମେରିକା ସଂସଦର ନିମ୍ନ ସଦନର ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ଶାନ୍ତ ନ ପଡୁଣୁ ଆଉ ଏକ ଆମେରିକୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ତାଇଓ୍ବାନରେ ପହଞ୍ଚିଛନ୍ତି । ଏହା ଦ୍ବାରା ଚୀନ ପୁଣି ଥରେ ବିରକ୍ତ ହେବାର ଆଶଙ୍କା ରହିଛି ।

ତାଇଓ୍ବାନ ଗଣମାଧ୍ୟମର ସୂଚନା ଅନୁସାରେ ସିନେଟର ଏଡ୍ ମାର୍କେଙ୍କ ନେତୃତ୍ବରେ ଏହି ୫ ଜଣିଆ ସଂସଦୀୟ ଦଳ ତାଇପେଈରେ ପହଞ୍ଚି ତାଇଓ୍ବାନର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ତାଇଓ୍ବାନର ସୁରକ୍ଷା ସଂପର୍କରେ ଆଲୋଚନା କରିଛନ୍ତି ।

ଏହି ବୈଠକ ଅବସରରେ ତାଇଓ୍ବାନର ଡେମୋକ୍ରାଟିକ ପ୍ରୋଗ୍ରେସିଭ ଦଳ (ଡିପିପି) ସହ ଉକ୍ତ ଆମେରିକୀୟ ସାଂସଦମାନେ ଏକ ବୈଠକ କରିଥିଲେ । ଡିପିପି ନେତା ଲୋ ଚି ଚେଙ୍ଗ୍ କହିଛନ୍ତି ଯେ ପେଲୋସିଙ୍କ ଗସ୍ତ ପରେ ଚୀନ ଯେଉଁ ସମରାଭ୍ୟାସ କରିଥିଲା, ତାହାର ଲକ୍ଷ୍ୟ ହେଉଛି ଭବିଷ୍ୟତରେ ଆମେରିକାର ଅନ୍ୟ କୌଣସି ପ୍ରତିନିଧି ମଣ୍ଡଳକୁ ତାଇଓ୍ବାନଗସ୍ତ କରିବାକୁ ରୋକିବା । କିନ୍ତୁ ଏହାକୁ ଅମାନ୍ୟ କରି ପ୍ରତିନିଧିମଣ୍ଡଳ ତାଇଓ୍ବାନ ଗସ୍ତ କରି ଚୀନକୁ ଏକ କଡ଼ା ବାର୍ତ୍ତା ପ୍ରଦାନ କରିଛନ୍ତି ।

ତେବେ ବିଶ୍ବ ସୁରକ୍ଷା ପାଇଁ ତାଇଓ୍ବାନର ଗୁରୁତ୍ବକୁ ଆମେରିକା ହୃଦୟଙ୍ଗମକରୁ ଓ ତାଇଓ୍ବାନର ସୁରକ୍ଷା ପାଇଁ ଏକ ସ୍ପଷ୍ଟ ସାମରିକ ନୀତି ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଆମେରିକୀୟ ପ୍ରତିନିଧିମଣ୍ଡଳର ଗସ୍ତକୁ ଚୀନ ବିରୋଧ କରିଛି ।

ସମ୍ବନ୍ଧିତ ଖବର