ତାଲିବାନର ଦଣ୍ଡନୀତିକୁ ବିରୋଧ କଲା ଆମେରିକା: ସାରିଆ ଆଇନରେ ମାନବାଧିକ ଉଲ୍ଲଂଘନ ଗ୍ରହଣୀୟ ନୁହେଁ

ୱାସିଂଟନ: ଆଫଗାନିସ୍ତାନରେ ଲୋକଙ୍କୁ ସୁଶାସନ ଦେବାକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ ଏବେ ପ୍ରତିଦିନ ନିଜର ବର୍ବର ରୂପ ଦେଖାଇବା ସହ ମାନବାଧିକାର ଉଲ୍ଲଂଘନର ସବୁ ସୀମା ଅତିକ୍ରମ କରିଛି। ସାମାନ୍ୟ ଅପରାଧରେ ସର୍ବସମ୍ମୁଖରେ ଲୋକଙ୍କ ହାତ କାଟି ଦିଆଯାଉଛି ଏବଂ ଅନ୍ୟ ଅପରାଧ ପାଇଁ ତତ୍କାଳ ମୃତ୍ୟୁ ଦଣ୍ଡ ଦିଆଯାଉଛି। ସବୁ କିଛି ଲୋକଙ୍କ ଆଖି ଆଗରେ ଅତି ବିଭତ୍ସ ଭାବେ ତାଲିବାନ ସଂପାଦନ କରୁଛି ଏବଂ ଆଇନର ଶାସନ ବୋଲି କିଛି ଦେଖିବାକୁ ମିଳୁନାହିଁ।

ଏଭଳି ସ୍ଥିତିରେ ସୁପର୍‌ ପାୱାର ଆମେରିକା ତାଲିବାନର ଦଣ୍ଡନୀତିକୁ ଆଜି କଡ଼ା ନିନ୍ଦା କରିଛି। ସାରିଆ ଆଇନରେ ଏଭଳି ମାନବାଧିକାର ଉଲ୍ଲଂଘନ କୌଣସି ସ୍ଥିତିରେ ବି ଗ୍ରହଣୀୟ ନୁହେଁ ବୋଲି ଆମେରିକା କହିଛି ଏବଂ ଏହି ନୀତିରେ ପରିବର୍ତ୍ତନ ପାଇଁ ଚେତାବନୀ ଦେଇଛି। ତାଲିବାନର କଥା ଓ କାମରେ ବଡ଼ ଫରକ ଦେଖିବାକୁ ମିଳିଛି ବୋଲି ଆମେରିକା ବିଦେଶ ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି। ଆଫଗାନିସ୍ତାନରେ ସାମ୍ବାଦିକ, ନାଗରିକ, ସାମାଜିକ କାର୍ଯ୍ୟକର୍ତ୍ତା, ମହିଳା, ଶିଶୁ ଏବଂ ମାନବାଧିକାର କାର୍ଯ୍ୟକର୍ତ୍ତା କେହି ବି ସୁରକ୍ଷିତ ନଥିବାରୁ ଅତି ଜଟିଳ ସ୍ଥିତି ଉପୁଜିଛି। ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ତାଲିବାନ ସୁନିଶ୍ଚିତ କରୁ ବୋଲି ପ୍ରାଇସ୍‌ କହିଛନ୍ତି। ଗତକାଲି ଅପହରଣ ଅଭିଯୋଗରେ ୪ ଜଣଙ୍କୁ ଗୁଳି କରି କ୍ରେନ୍‌ରେ ଲଟକାଇ ଦିଆଯିବା ପରେ ଆଜି ଆମେରିକାର ଏଭଳି ପ୍ରତିକ୍ରିୟା ଆସିଛି।

ସମ୍ବନ୍ଧିତ ଖବର