ଋଷ ସହ ଯୁଦ୍ଧ କରିବା ପାଇଁ ଅଟକି ରହିଥିବା ବାପା ଝିଅକୁ ବିଦାୟ ଦେଇ ଭୋଭୋ ହୋଇ କାନ୍ଦୁଛନ୍ତି

ନୂଆଦିଲ୍ଲୀ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଋଷ ଆକ୍ରମଣ ତୀବ୍ର ହୋଇଯାଇଛି। ଋଷ ସେନା ୟୁକ୍ରେନ ସହରଗୁଡିକରେ ସେନା ଠିକଣାକୁ ଟାର୍ଗେଟ କରୁଛନ୍ତି । ଫେବ୍ରୁଆରି ୨୪ ଗୁରୁବାର ସକାଳେ ଋଷିଆ ଆକ୍ରମଣ ପରଠାରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁକ୍ରେନରୁ ଅନେକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହୋଇଛି ।

ଏହି ଭିଡିଓଗୁଡ଼ିକ ମଧ୍ୟରୁ ୟୁକ୍ରେନର ରାଜଧାନୀ କିଭରୁ ଆସିଥିବା ଏକ ଭିଡିଓରେ ଜଣେ ବାପା ତାଙ୍କ ଛୋଟ ଝିଅକୁ ବସ୍‌ରେ ସୁରକ୍ଷିତ ସ୍ଥାନକୁ ପଠାଉଥିବା ଦେଖିବାକୁ ମିଳିଛି। ଝିଅକୁ ବିଦାୟ ଦେଉଥିବା ‌ବେଳେ ବାପା ଭୋଭୋ ହୋଇ କାନ୍ଦୁଛନ୍ତି। କାରଣ ଯୁଦ୍ଧ ଚାଲିଥିବାରୁ କେତେବେଳେ କ’ଣ ହେବ, ସେକଥା କେହି ଜାଣି ନାହାନ୍ତି। ଆଗକୁ ସେ ଆଉ ଝିଅକୁ ଦେଖି ପାରିବେ କି ନାହିଁ ସେ ଆଶା ବି ତାଙ୍କର ନାହିଁ। ତେଣୁ ହୃଦୟକୁ ପଥର କରି ସେ କାନ୍ଦିକାନ୍ଦି ତାଙ୍କ ଝିଅକୁ ବସ‌ରେ ବସାଉଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ ସରକାର ୧୮ରୁ ୬୦ ବର୍ଷ ବର୍ଗର ଲୋକଙ୍କୁ ଦେଶ ଛାଡ଼ିବାକୁ ବାରଣ କରିଛନ୍ତି। ତେଣୁ ଉକ୍ତ ବ୍ୟକ୍ତି ଜଣକ କିଭରେ ରହି ଋଷ ସୈନ୍ୟଙ୍କ ସହ ଲଢ଼େଇ କରିବେ।

ଭିଡିଓର କ୍ୟାପସନରେ ଲେଖା ହୋଇଛି, ‘ଜଣେ ୟୁକ୍ରେନ ପିତା ତାଙ୍କ ପରିବାରକୁ ବିଦାୟ ଦେଉଥିବାବେଳେ ସେ ନିଜେ ଋଷିଆ ସହିତ ଲଢ଼ିବାକୁ ଅଟକି ରହିଛନ୍ତି।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଭାବବିହ୍ବଳ ହୋଇପଡ଼ିଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଭଗବାନ ଏହି ବାପା ଏବଂ ୟୁକ୍ରେନକୁ ସୁରକ୍ଷା ଦିଅନ୍ତୁ।’

ଅନ୍ୟ ଜଣେ ଲେଖିଛନ୍ତି, ‘ଭଗବାନ ଏହି ବ୍ୟକ୍ତିଙ୍କୁ ଯଥାଶୀଘ୍ର ତାଙ୍କ ପରିବାର ସହିତ ମିଶାଇ ଦିଅନ୍ତୁ।’ ତୃତୀୟ ଜଣକ ଲେଖିଛନ୍ତି, ‘ଏହା ପ୍ରକୃତରେ ହୃଦୟ ବିଦାରକ ଭିଡିଓ।’

ସମ୍ବନ୍ଧିତ ଖବର