ଆଫଗାନିସ୍ତାନରେ ଫସିରହିଥିବା ଅଧିକାଂଶ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି, ଭାରତୀୟ ସମର୍ଥକ ଆଫଗାନ ନାଗରିକଙ୍କୁ ବି ଅଣାଯାଇଛି : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଫସି ରହିଥିବା ଅଧିକାଂଶ ଭାରତୀୟଙ୍କୁ ଉଦ୍ଧାର କରାଯାଇସାରିଛି । ତେବେ ସେଠାରେ ଆଉ କିଛି ଭାରତୀୟ ରହିଥାଇପାରନ୍ତି, କିନ୍ତୁ ସେମାନଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ଫସିରହିଥିବା ଅଧିକାଂଶ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଏ ପର୍ଯ୍ୟନ୍ତ କାବୁଲ ଓ ଦସାନବେ (ତାଜିକିସ୍ତାନ)ରୁ ୬ଟି ବିମାନରେ ମୋଟ ୫୫୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଭାରତ ଅଣାଯାଇଛି । ଏହି ୫୫୦ ଜଣଙ୍କ ମଧ୍ୟରେ ୨୬୦ ଜଣ ଭାରତୀୟ ଅଛନ୍ତି । ସେହିପରି ଅନ୍ୟ ଦେଶର ଏଜେନ୍ସିମାନଙ୍କ ଦ୍ବାରା ବି କେତେକ ଭାରତୀୟଙ୍କୁ ଉଦ୍ଧାର କରି ଭାରତ ଅଣାଯାଇଛି ।

ଭାରତ ସରକାର କେତେକ ଆଫଗାନ ଓ ଅନ୍ୟ ବିଦେଶୀ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଫଗାନ ଶିଖ ଓ ହିନ୍ଦୁ ଅଛନ୍ତି । ତେବେ ଭାରତ ସରକାର ମୁଖ୍ୟତଃ ଭାରତୀୟ ନାଗରିକଙ୍କ ଉଦ୍ଧାର ଉପରେ ଗୁରୁତ୍ବ ଦେଉଥିଲେ କିନ୍ତୁ ଯେଉଁ ଆଫଗାନମାନେ ଭାରତର ସହାୟତା କରିଥିଲେ ଭାରତ ସେମାନଙ୍କ ପାଇଁ ଛିଡ଼ା ହୋଇଥିଲା ବୋଲି ବାଗଚି କହିଛନ୍ତି ।

 

ସମ୍ବନ୍ଧିତ ଖବର