ପ୍ରତି ଗାଁ’ରେ ରାମଙ୍କ ପ୍ରତିମା ପ୍ରତିଷ୍ଠା କରିବାକୁ ଚାହେଁ ବିଶ୍ୱ ହିନ୍ଦୁ ପରିଷଦ୍‌

ଲକ୍ଷ୍ନୌ: ଦେଶର ସବୁ ଗାଁରେ ରାମଙ୍କ ପ୍ରତିମା ସ୍ଥାପନ କରିବାକୁ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ୍‌।

ସୋମବାର ଦିନ କର୍ଣ୍ଣାଟକରେ ଶେଷ ହୋଇଥିବା ଧର୍ମ ସଂସଦରେରେ ଏମିତି ଡାକରା ଦିଆଯାଇଛି। ତିନି ଦିନ ବ୍ୟାପୀ ଚାଲିଥିବା ଏହି ସଂସଦରେ ବିଶ୍ୱ ହିନ୍ଦୁ ପରିଷଦ୍‌, ବଜରଙ୍ଗ ଦଳ ଏବଂ ସଂଘର ଅନ୍ୟାନ୍ୟ ସଙ୍ଗଠନ ଭାଗ ନେଇଥିଲେ। ବାବ୍ରି ମସ୍‌ଜିଦ୍‌ ଭଙ୍ଗାର ୨୫ ବର୍ଷ ପୂର୍ତ୍ତୀ ଏବଂ ଡିସେମ୍ବର ୫ ତାରିଖରୁ ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲାର ଦୈନନ୍ଦିନ ରାୟ ଶୁଣାଣି ପୂର୍ବରୁ ଏହି ସଂସଦ ବସିଥିଲା।

ମାର୍ଚ ୩୧ ତାରିଖରେ ବଡ଼ ଆକାରରେ ହନୁମାନ ଜୟନ୍ତୀ ପାଳନ କରିବାକୁ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ୍‌ ନିବେଦନ କରିଛି। ରାମ ମନ୍ଦିର ଶୀଘ୍ର ତିଆରି ହେବା ପାଇଁ ଲୋକେ ହନୁମାନ ମନ୍ଦିରରେ ପ୍ରାର୍ଥନା କରୁନ୍ତୁ ବୋଲି ପରିଷଦ୍‌ କହିଛି।

ଆସନ୍ତା ବର୍ଷ ମାର୍ଚ ୧୫ ତାରିଖରୁ ମାର୍ଚ ୩୧ ତାରିଖ ଯାଏଁ ହିନ୍ଦୁମାନେ ଦୈନିକ ୧୦୮ ଥର ଧାର୍ମିକ ପ୍ରାର୍ଥନା ବୋଲିବାକୁ ବିଶ୍ୱ ହିନ୍ଦୁ ପରିଷଦ୍‌ କହିଛି। ଏମିତି କଲେ ନିଶ୍ଚୟ ରାମ ମନ୍ଦିର ହୋଇ ପାରିବ।

ସମ୍ବନ୍ଧିତ ଖବର