କରୋନା ଚିକିତ୍ସାକୁ ନେଇ ସୋସିଆଲ୍‌ ମିଡିଆରେ ବୁଲୁଛି ବାବା ନିତ୍ୟାନନ୍ଦଙ୍କ ନକଲି ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଚିକିତ୍ସାକୁ ନେଇ ସୋସିଆଲ୍‌ ମିଡିଆରେ ବୁଲୁଛି ବାବା ନିତ୍ୟାନନ୍ଦଙ୍କ ନକଲି ଭିଡିଓ। ଅବତାର ସ୍ପିକ୍‌ସ ନାମକ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ସେୟାର୍‌ ହୋଇଥିବା ଏକ ବିଜ୍ଞାପନ ଭିଡିଓରେ କରୋନା ସହ କିପରି ଆଧ୍ୟାତ୍ମିକ ଥେରାପି କରି ଲଢ଼ାଯାଇ ପାରିବ ତାହା ପ୍ରଦର୍ଶନ କରାଯାଇଛି। ସେଥିରେ କୁହାଯାଇଛି ଯେ ଲଗାତର ୪୮ ଘଣ୍ଟା(୨ ଦିନ) ଧରି ଜପ କରିବା ଦ୍ବାରା ଏହି ଭାଇରସ୍‌କୁ ଜିଣା ଯାଇପାରେ। ଫେବ୍ରୁଆରି ୭ ତାରିଖରୁ ୯ ତାରିଖ ମଧ୍ୟରେ ନିତ୍ୟାନନ୍ଦଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଜପ କରିବା ଦ୍ବାରା କରୋନା ଭାଇରସ୍‌କୁ ହରାଇ ହେବ ବୋଲି ଭିଡିଓରେ କୁହାଯାଇଥିଲା। ‘ଓମ୍‌ ନିତ୍ୟାନନ୍ଦମ୍‌ ପରମଶିବମ୍‌’ ଜପ କରିବାକୁ କୁହାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ମାତ୍ର ବାସ୍ତବ କଥା ହେଉଛି ଏଯାବତ୍‌ କରୋନା ଭାଇରସ୍‌କୁ ଭଲ କଲା ପରି ସେପରି ଚିକିତ୍ସା ବାହାରିନାହିଁ। ଏବେ ସୁଦ୍ଧା ୩ ଜଣ ଭାରତୀୟଙ୍କ ଭିତରେ କରୋନା ଭାଇରସ୍‌ ଚିହ୍ନଟ ହୋଇଛି। ଏହି ଭାଇରସ୍‌ରେ ବିଭିନ୍ନ ଦେଶ ପ୍ରଭାବିତ ହୋଇଥିବା ବେଳେ ଏହାକୁ ନେଇ ଚୀନରେ ଦେଶବ୍ୟାପୀ କ୍ରୋଧ ଦେଖିବାକୁ ମିଳିଛି।

ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁସଂଖ୍ୟା ୬୪୦ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଅତି ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଭାଇରସ୍‌ ସହ ମୁକାବିଲା ପାଇଁ କିଛି ଔଷଧ କି ଇଂଜେକ୍ସନ ନଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଚୀନ୍‌ରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ରୋଗୀମାନେ ମଧ୍ୟ ପ୍ରବଳ ମାନସିକ ଚାପରେ ରହିଛନ୍ତି। ମେଡିକାଲ୍‌ କର୍ମୀ ଏବଂ ରୋଗୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିସନ୍‌ ପକ୍ଷରୁ ଗତ ଫେବ୍ରୁଆରି ୨ ତାରିଖରେ ଏକ ନୋଟିସ୍‌ ଜାରି କରି ଏଭଳି ସ୍ଥିତିରେ ମାନସିକ ଚାପକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ସହଯୋଗ କରିବାକୁ କୁହାଯାଇଛି। ଏହି ଭୟଙ୍କର ଭାଇରସ୍‌ ଏବେ ମେଡିକାଲ କର୍ମୀଙ୍କ ପାଇଁ ବଡ଼ ମାନସିକ ଚାପ ସୃଷ୍ଟି କରିଛି। ଏ କ୍ଷେତ୍ରରେ ମାନସିକ ରୋଗ ବିଶେଷଜ୍ଞଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଛି।

ସମ୍ବନ୍ଧିତ ଖବର