ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ୨ କୋଟି ଟଙ୍କାର ପେଣ୍ଟିଙ୍ଗ୍‌ କିଣିବା ପାଇଁ ମତେ ବାଧ୍ୟ କରାଯାଇଥିଲା: ‘ୟେସ୍‌ ବ୍ୟାଙ୍କ୍‌’ ସହ-ସଂସ୍ଥାପକ ରାଣା କପୁର

ମୁମ୍ବାଇ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କଠାରୁ ଏମ୍‌. ଏଫ୍‌. ହୁସେନ୍‌ଙ୍କର ଗୋଟାଏ ପେଣ୍ଟିଙ୍ଗ୍‌ କିଣିବା ପାଇଁ ‘ୟେସ୍‌ ବ୍ୟାଙ୍କ୍‌’ର ସହ-ସଂସ୍ଥାପକ ରାଣା କପୁରଙ୍କୁ ବାଧ୍ୟ କରାଯାଇଥିଲା। ସେହି ଅର୍ଥକୁ ଗାନ୍ଧୀ ପରିବାର ନ୍ୟୁୟର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବ୍ୟୟ କରିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ସ୍ବତନ୍ତ୍ର ଅଦାଲତରେ ଦାଏର କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି।

କପୁର ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ କହିଛନ୍ତି ଯେ, ଏମ୍‌. ଏଫ୍‌. ହୁସେନ୍‌ଙ୍କ ପେଣ୍ଟିଙ୍ଗ୍‌ ନ କିଣିଲେ ଗାନ୍ଧୀ ପରିବାର ସହିତ ତାଙ୍କର ସମ୍ପର୍କ ହୋଇପାରିବ ନାହିଁ ଏବଂ ତାଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ବି ମିଳିବ ନାହିଁ ବୋଲି ତତ୍‌କାଳୀନ ପେଟ୍ରୋଲିୟମ୍‌ ମନ୍ତ୍ରୀ ମୁରଲୀ ଦେଓରା ତାଙ୍କୁ କହିଥିଲେ।

ରାଣା କପୁରଙ୍କର ଏହି ବିବୃତି ହେଉଛି, ଆର୍ଥିକ ଦୁର୍ନୀତି ମାମଲାରେ ‘ୟେସ୍‌ ବ୍ୟାଙ୍କ୍‌’ର ସହ-ସଂସ୍ଥାପକ, ତାଙ୍କ ପରିବାର, ‘ଦେୱାନ୍‌ ହାଉସିଙ୍ଗ୍‌ ଫାଇନାସ୍‌ ଲିମିଟେଡ୍‌’ ପୃଷ୍ଠପୋଷକ କପିଳ ଏବଂ ଧୀରଜ ଧାୱନ ଓ ଅନ୍ୟମାନଙ୍କ ବିରୋଧରେ ଦ୍ବିତୀୟ ଅତିରିକ୍ତ ଚାର୍ଜସିଟ୍‌ର ଅଂଶବିଶେଷ।

Image Courtesy of Zee News

୨ କ‌ୋଟି ଟଙ୍କାର ଚେକ୍‌ ପୈଠ କରିଥିବା କହି କପୁର ଦାବି କରିଛନ୍ତି ଯେ, ପରେ ପୂର୍ବତନ କଂଗ୍ରେସ ସାଂସଦ ସ୍ବର୍ଗତ ମୁରଲୀ ଦେଓରାଙ୍କ ପୁତ୍ର ମିଲିନ୍ଦ ଦେଓରା ତାଙ୍କୁ ଗୁପ୍ତରେ କହିଥିଲେ ଯେ, ପେଣ୍ଟିଙ୍ଗ୍‌ ବିକ୍ରିରୁ ମିଳିଥିବା ଅର୍ଥକୁ ଗାନ୍ଧୀ ପରିବାର ନ୍ୟୁୟର୍କରେ ସୋନିଆ ଗାନ୍ଧୀଙ୍କ ଡାକ୍ତରୀ ଚିକିତ୍ସା‌ରେ ଖର୍ଚ୍ଚ କରିବେ।

କପୁର ପ୍ରବର୍ତ୍ତନ ନିର୍ଦେଶାଳୟକୁ ଆହୁରି ମଧ୍ୟ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କର ଘନିଷ୍ଠ ସହଯୋଗୀ ଅହମଦ୍‌ ପଟେଲ୍‌ ତାଙ୍କୁ କହିଥିଲେ ‌ଯେ, ସୋନିଆ ଗାନ୍ଧୀଙ୍କ ଡାକ୍ତରୀ ଚିକିତ୍ସା ନିମନ୍ତେ ଗାନ୍ଧୀ ପରିବାରକୁ ସହାୟତା କରିବାକୁ ସୁଯୋଗ ପାଇ ସେ (କପୁର) ଭଲ କାମଟିଏ କରିଛନ୍ତି। ଏଥିପାଇଁ ତାଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ଦିଆଯିବା ଲାଗି ବିଚାର କରାଯିବ।

୨୦୨୦ରେ ଆର୍ଥିକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଣା କପୁର ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ସମ୍ବନ୍ଧିତ ଖବର