ମମତାଙ୍କୁ ଯଦି ଗୋଡ଼ ଦେଖାଇବାର ଏତେ ଇଚ୍ଛା ତେବେ ସେ ବର୍ମୁଡା ପିନ୍ଧନ୍ତୁ: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ

ନୂଆଦିଲ୍ଲୀ: ମମତାଙ୍କୁ ଯଦି ଗୋଡ଼ ଦେଖାଇବାର ଏତେ ଇଚ୍ଛା ତେବେ ସେ ବର୍ମୁଡା ପିନ୍ଧନ୍ତୁ, ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ଦିଲୀପ ଘୋଷ। ନନ୍ଦିଗ୍ରାମରେ ପ୍ରଚାର କରିବା ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହା ପରେ ସେ ବିଜେପି ଆକ୍ରମଣ କରିଥିବା ନେଇ ଅଭିଯୋଗ କରିବା ସହ ଗୋଡ଼ ପ୍ଲାଷ୍ଟର କରି ପୁଣି ଥରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ତେବେ ଗୋଡ଼ ପ୍ଲାଷ୍ଟର କରି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନେଇ ସମାଲୋଚନା କରି ବିଜେପି ନେତା ଦିଦିଙ୍କୁ ବର୍ମୁଡା ପିନ୍ଧିବାକୁ ଉପଦେଶ ଦେଇଛନ୍ତି।

ଗତକାଲି ପୁରୂଲିଆରେ ଅନୁଷ୍ଠିତ ଏକ ରାଲିରେ ରାଜ୍ୟ ବିଜେପି ମୁଖ୍ୟ କହିଥିଲେ ଯେ, ଗୋଡ଼ରେ ଆଘାତ ଲାଗିବା ପରେ ଏବେ ସେ ସମସ୍ତଙ୍କୁ ନିଜ ଗୋଡ଼ ଦେଖାଉଛନ୍ତି। ଏବେ ସେ ଶାଢ଼ୀ ପିନ୍ଧୁଥିଲେ ମଧ୍ୟ ଗୋଟିଏ ଗୋଡ ତାଙ୍କର ବାହାରକୁ ରହିଛି। ମୁଁ କେବେବି କାହାକୁ ଏଭଳି ଶାଢ଼ୀ ପିନ୍ଧିଥିବାର ଦେଖି ନାହିଁ। ଯଦି ସେ ତାଙ୍କ ଗୋଡ଼ ଦେଖାଇବାକୁ ଚାହୁଁଛନ୍ତି, ତେବେ ସେ ବର୍ମୁଡା ପିନ୍ଧନ୍ତୁ। ଲୋକେ ତାଙ୍କ ଗୋଡ଼ ଭଲ ଭାବରେ ଦେଖିପାରିବେ।

ଦିଲୀପ ଘୋଷଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ତୃଣମୂଳ କଂଗ୍ରେସର ମହିଳା ନେତ୍ରୀ ମହୁଆ ମୋଇତ୍ରା ଟୁଇଟ କରି କହିଛନ୍ତି ଯେ, ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ମମତାଦୀଙ୍କୁ ଶାଢ଼ୀ ବଦଳରେ ବମୁର୍ଡା ପିନ୍ଧିବାକୁ କହିଛନ୍ତି। ଏଭଳି କହି ଏହି ବିକୃତ ମାଙ୍କଡମାନେ ଭାବୁଛନ୍ତି ସେମାନେ ପଶ୍ଚିମବଙ୍ଗ ନିର୍ବାଚନ ଜିତିଯିବେ।

ସମ୍ବନ୍ଧିତ ଖବର