ପ୍ରଶାନ୍ତ କିଶୋରଙ୍କ ସହ ୩ ଘଣ୍ଟାର ବୈଠକ ପରେ ଜୋର୍‌ ଧରିଲା ଚର୍ଚ୍ଚା: ରାଷ୍ଟ୍ରୀୟ ରାଜନୀତିରେ ପାଦ ଦେବେ କି ମମତା!

କୋଲକାତା: ବିଜେପିର କଳବଳକୌଶଳକୁ ପରାଜିତ କରି ପଶ୍ଚିମବଙ୍ଗ ବିଧାନସଭାରେ ଟିଏମସିର ବିଜୟ ପରେ ମମତା ବାନାର୍ଜୀ ବେସ୍ ଉତ୍ସାହିତ ଥିବା ଭଳି ମନେ ହେଉଛି। ଏବେ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜନୀତିରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମମତା ବାନାର୍ଜୀ ଶୁକ୍ରବାର ଦିନ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ୩ ଘଂଟାର ବୈଠକ କରିଛନ୍ତି।

ଶୁକ୍ରବାର ଦିନ ସନ୍ଧ୍ୟାରେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ବାସଭବନରେ ୩ ଘଂଟା ରହିଥିଲେ। ଏହି ସମୟରେ ଟିଏମସି କିଭଳି ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି। ଏହା ସହ ଏହି ବୈଠକରେ ଟିଏମସିର ଜିଲ୍ଲା ସ୍ତରୀୟ ସଂଗଠନରେ ବଡ଼ ପରିବର୍ତ୍ତନ କରିବା ନେଇ ବି ଆଲୋଚନା ହୋଇଛି। ଏହା ସହ ଟିଏମସିର ଏକ ବ୍ୟକ୍ତି ଏକ ପଦ ବ୍ୟବସ୍ଥା ଜିଲ୍ଲା ସ୍ତରରୁ ଲାଗୁ ହେବ ବୋଲି ଅନୁମାନ କରାଯାଇଛି।

କେବଳ ସେତିକି ନୁହେଁ ରାଷ୍ଟ୍ରୀୟ ରାଜନୀତିରେ ମୋଦୀଙ୍କ ବିରୋଧରେ ଟିଏମସି କିଭଳି ପ୍ରସ୍ତୁତ ହେବ ସେନେଇ ବି ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ବିଧାନସଭା ନିର୍ବାଚନ ଜିତିବା ପରେ ଟିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା କି ଏବେ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜନୀତିରେ ସକ୍ରିୟ ଭୂମିକା ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ଟିଏମସି ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଯାହାକି ଜୁଲାଇ ଶେଷ କିମ୍ବା ଅଗଷ୍ଟ ପହିଲା ବେଳକୁ ସାର୍ବଜନୀନ କରାଯିବ।

ସମ୍ବନ୍ଧିତ ଖବର