ଜୁନ୍‌ ୧୫ ରାତିରେ କ’ଣ ଘଟିଥିଲା‌?

ଭାରତୀୟ ସୈନିକଙ୍କୁ ରଡ୍‌ରେ ଆକ୍ରମଣ ପରେ ନଦୀଗର୍ଭକୁ ଠେଲି ଦିଆଯାଇଥିଲା

ନୂଆଦିଲ୍ଳୀ: ୬ ସପ୍ତାହ ଧରି ପୂର୍ବ ଲଦାଖ୍‌ରେ ଉଭୟ ଭାରତ ଏବଂ ଚୀନ୍‌ ସୀମା ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଜାରି ରଖିଥିଲେ। ଜୁନ୍‌ ୬ ତାରିଖରେ ଦୁଇ ଦେଶ ମଧ୍ୟରେ କମାଣ୍ଡର୍‌ସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା। ସେନା ମୁଖ୍ୟ ଏମ୍‌ଏମ୍‌ ନରବ‌ଣେ ନିକଟରେ କହିଥିଲେ ଯେ ଲଦାଖ୍‌ ସୀମାରେ ସବୁକିଛି ନିୟନ୍ତ୍ରଣାଧୀନ ରହିଛି। ନରବଣେଙ୍କ ଏହି ବୟାନ ଆସିବାପରେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ୍‌ ସ୍ଥିତି ସମୀକ୍ଷା କରିଥିଲେ ଏବଂ ସ୍ଥିତି ସୁଧୁରୁଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଗତକାଲି ଅପରାହ୍ନରେ ‌ଯେଉଁ ଖବର ଆସିଲା ତାହା ହଠାତ୍‌ ସମସ୍ତଙ୍କୁ ହତବାକ୍‌ କରିଦେଇଥିଲା। ସୋମବାର ରାତି‌ରେ ଗଲ୍‌ୱାନ୍‌ ଘାଟି ନିକଟରେ ଭାରତ-ଚୀନ୍‌ ସୈନ୍ୟଦଳଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଭାରତ ଜଣେ କର୍ନେଲ୍‌ଙ୍କ ସମେତ ୨୦ ଯବାନଙ୍କୁ ହରାଇଛି। ଚୀନ୍‌ର ମଧ୍ୟ ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଛି। ତେବେ ବାସ୍ତବରେ ସେଦିନର ଘଟଣା ଅଚାନକ ଘଟିଯାଇନଥିଲା। ଏହାର ଦୁଇଦିନ ପୂର୍ବରୁ ଚୀନ୍‌ ଅତି ତିକ୍ତ ପରିସ୍ଥିତି ସୃଷ୍ଟି କରିଥିଲା। ୧୦ ଦିନ ତଳେ ଚୀନ୍‌ ଭାରତ ପାର୍ଶ୍ବରେ ଏକ ଶିବିର ନିର୍ମାଣ କରିଥିଲା। କିନ୍ତୁ ଭାରତୀୟ ସେନା ତୁରନ୍ତ ଏହାକୁ ଧ୍ବଂସ କରିଦେଇଥିଲେ। ଏହାକୁ ବିରୋଧ କରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି ଯବାନ ମଧ୍ୟ ଆହତ ହୋଇଥିଲେ। ତେବେ ଚୀନ୍‌ ସେନା ସେଦିନ ଭାରତ ପାର୍ଶ୍ବରୁ ଫେରିଯାଇଥିଲେ। କିନ୍ତୁ ସପ୍ତାହାନ୍ତରେ ଚୀନ୍‌ ସୈନ୍ୟ ପୁଣିଥରେ ଦଳବଳ ହୋଇ ଫେରିଥିଲେ। ଜୁନ୍‌ ୧୪ ତାରିଖରେ ଚୀନ୍ ପକ୍ଷରୁ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ପଥର ମାଡ଼ ହୋଇଥିଲା। ତେବେ ସୋମବାର ସନ୍ଧ୍ୟାରୁ ଚୀନ୍‌ ଏବଂ ଭାରତ ‌ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଗଲ୍‌ୱାନ୍‌ ନଦୀ ନିକଟରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ସଂଘର୍ଷ ଉପୁଜିଥିଲା। ଚୀନ୍‌ ସୈନିକମାନେ ଲୁହା କଣ୍ଟା ଲାଗିଥିବା ରଡ୍‌ରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ଏବଂ ଅନେକ ଆହତ ଭାରତୀୟ ସୈନିକଙ୍କୁ ଗଲ୍‌ୱାନ୍‌ ନଦୀ ଭିତରକୁ ଠେଲି ଦେଇଥିଲେ । ତେବେ ଭାରତୀୟ ଯବାନ ଦୃଢ଼ତାର ସହିତ ପରିସ୍ଥିତିକୁ ମୁକାବିଲା କରିଥିଲେ। ଚୀନ୍‌ ସେନା ପଛକୁ ନହଟିବାରୁ କର୍ନେଲ୍‌ ସ‌ନ୍ତୋଷ ବାବୁଙ୍କ ନେତୃତ୍ବରେ ଭାରତୀୟ ସେନାର ଏକ ଅସ୍ତ୍ରବିହୀନ ପାଟ୍ରୋଲ୍‌ ଟିମ୍‌ ଚୀନ୍‌ ଆଲୋ‌ଚନା ପ୍ରକ୍ରିୟା ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ସେମାନଙ୍କ ଉପରେ ମଧ୍ୟ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ବୋଲ୍ଡର, ରଡ୍‌ ଏବଂ ବାଡ଼ିରେ ଆକ୍ରମଣ ପରେ ଭାରତୀୟ ସେନା ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଉଭୟ ପଟୁ ଅନେକ ସୈନିକ ନଦୀ ଗର୍ଭକୁ ଖସିଥିବା ଜଣାପଡ଼ିଥିଲା।

ଚୀନ୍‌ର ପ୍ରଥମ ଆକ୍ରମଣରେ କର୍ନେଲ୍‌ ଅତି ଗୁରୁତର ହୋଇପଡ଼ିଥିଲେ। ଭାରତୀୟ ସୈନ୍ୟ ଦଳ କର୍ନେଲ୍‌ ଏବଂ ଜଣେ ଆହତ ହାବିଲ୍‌ଦାରଙ୍କୁ ପଛକୁ ନେଇଯାଇଥିଲେ। ତେବେ ସୀମାରେ କିଛି ଆହତ ଯବାନ ଥିଲେ। କିନ୍ତୁ ଚୀନ୍‌ ସେମାନଙ୍କୁ ବନ୍ଦୀ କରିନେଇ ଆକ୍ରମଣ କରିଥିଲା। ପ୍ରାୟ ୪୦ ମିନିଟ୍‌ ପରେ ଭାରତର ସେହି ସମାନ ସୈନ୍ୟ ଦଳ ଅନ୍ୟ ଜଣେ ‌ମେଜରଙ୍କ ନେତୃତ୍ବରେ ପୁଣି ଥରେ ସଂଘର୍ଷ ସ୍ଥଳକୁ ଫେରିଥିଲେ ଏବଂ ଚୀନ୍‌ ପୋଷ୍ଟ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଚୀନ୍‌ର ପ୍ରାୟ ୫୫ ଜଣ ସୈନିକ ଆହତ ହୋଇଥିଲେ। ମଧ୍ୟରାତ୍ରି ପରେ ପରେ ସଂଘର୍ଷ ଥମିଥିଲା ଏବଂ ଏବଂ ଅନେକ ଯବାନଙ୍କ ମୃତଦେହ ଗଲ୍‌ୱାନ୍‌ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର