କରୋନାଭାଇରସ୍‌ ସଂକ୍ରମଣକୁ ‘ଆନ୍ତର୍ଜାତିକ ଜନସ୍ୱାସ୍ଥ୍ୟ ସଙ୍କଟ’ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବେଜିଙ୍ଗ୍‌: ଚୀନ୍‌ରୁ ଉତ୍ପତ୍ତି ହୋଇ ଅନ୍ୟୂନ ୧୭ଟି ଦେଶକୁ ବ୍ୟାପୀଥିବା ‘କରୋନାଭାଇରସ୍‌’ ଜନିତ ସଂକ୍ରମଣକୁ  ଶୁକ୍ରବାର  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଆନ୍ତର୍ଜାତିକ ଜନସ୍ୱାସ୍ଥ୍ୟ ସଙ୍କଟ’ (ପିଏଚ୍‌ଇଆଇସି) ବୋଲି ଘୋଷଣା କରିଛି।

କିନ୍ତୁ, ଜେନେଭାରେ ଅବସ୍ଥିତ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ପକ୍ଷରୁ ଚୀନ୍‌ ଭ୍ରମଣ ଏବଂ ଚୀନ୍‌ ସହ ବାଣିଜ୍ୟ କରାଯିବା ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ।

Image Source: Hindustan Times

କରୋନାଭାଇରସ୍‌ ପ୍ରକୋପ ଯୋଗୁଁ ସମଗ୍ର ଚୀନ୍‌ରେ ମୃତ୍ୟୁସଂଖ୍ୟା ୨୧୩ରେ ପହଞ୍ଚିଥିବା କଥା ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ ଘୋଷଣା କରିବା ପରେ ‘ଡବ୍ଲୁଏଚ୍‌ଓ’ ବା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଏହି ଘୋଷଣା କରିଛି। ସର୍ବାଧିକ କରୋନାଭାଇରସ୍‌ ଆକ୍ରାନ୍ତ କେନ୍ଦ୍ରୀୟ ଚୀନ୍‌ ପ୍ରଦେଶ ହୁବେଇରେ ଗତକାଲି ଆଉ ୪୨ଜଣଙ୍କର ମୃତ୍ୟୁ ଘଟିବା ପରେ ସମୁଦାୟ ମୃତବ୍ୟକ୍ତିଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି ପାଇଥିଲା। ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୦ ଟପିଯାଇଥିବା ବେଳେ କେବଳ ହୁବେଇ ପ୍ରଦେଶରେ ଆହୁରି ୧୨୦୦ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଶୁକ୍ରବାର ସକାଳେ ଚୀନ୍‌ର ପ୍ରାଦେଶିକ ସ୍ୱାସ୍ଥ୍ୟ କର୍ମଚାରୀମାନେ ଘୋଷଣା କରିଛନ୍ତି ଯେ ଖାଲି ହୁବେଇରେ ୫୮୦୬ଜଣ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି।

ଚୀନ୍‌ ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍‌ ଆକ୍ରାନ୍ତ ଥିବା ଜଣାପଡ଼ିଛି।  ହଂକଂରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାକାଓ ସ୍ବତନ୍ତ୍ର ପ୍ରାଶାସନିକ କ୍ଷେତ୍ରରେ ୭ ଜଣ ଏବଂ ତାଇୱାନ୍‌ରେ ୮ ଜଣଙ୍କର ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ବିଶ୍ବବ୍ୟାପୀ କରୋନା ଭାଇରସ୍‌ ନେଇ ଭୟ ବଢ଼ିଚାଲିଛି। ଆମେରିକା ତା’ର ନାଗରିକମାନଙ୍କୁ ଚୀନ୍‌ରୁ ଖାଲି କରାଉଥିବା ବେଳେ ଜାପାନ୍‌, ରୁଷ୍‌, ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି। ରୁଷ୍‌ ଆଜି ଚୀନ୍‌ ସହ ତା’ର ୪୩୦୦ କିମି ସୀମାକୁ ବନ୍ଦ କରିଛି।

ସମ୍ବନ୍ଧିତ ଖବର