ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରକୁ ୟୁରୋପୀୟ ସଂଘ ସାଂସଦମାନଙ୍କ ପରିଦର୍ଶନ ଲାଗି ଅନୁମତି ଦେବା ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସରକାର ଭାରତୀୟ ସାଂସଦମାନଙ୍କୁ ଅନୁମତି ନଦେଇ ୟୁରୋପୀୟ ସାଂସଦମାନଙ୍କୁ ଅନୁମତି ଦେବା ଭାରତୀୟ ଗଣତନ୍ତ୍ରର ଅପମାନ ।
୨୮ ଜଣ ୟୁରୋପୀୟ ସାଂସଦମାନଙ୍କ ଏକ ଦଳ ଆସନ୍ତା କାଲି (ମଙ୍ଗଳବାର) ଦିନ କଶ୍ମୀର ଯାଇ ସ୍ଥିତି ପରଖିବ । ଆଦି ଏହି ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ମୋଦୀ ସେମାନଙ୍କୁ କହିଛନ୍ତି ଯେ ଏହି ଗସ୍ତ ଦ୍ୱାରା ସେମାନେ କଶ୍ମୀରକୁ ଭଲଭାବରେ ବୁଝିପାରିବେ । ଏହା ସହିତ ଭାରତ ସରକାର ସେଠାରେ କରିବାକୁ ଯାଉଥିବା ବିକାଶମୂଳକ କାର୍ଯ୍ୟକୁ ଜାଣିପାରିବେ । ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଦ୍ୱାରା ଜମ୍ମୁ ଓ କଶ୍ମୀରରେ ହିଂସାକାଣ୍ଡ ଓ ଅସ୍ଥିରତା ରହୁଛି । ମିଳିତଭାବରେ ଆତଙ୍କବାଦ ବିରୁଦ୍ଧରେ ଲଢିବାର ସମୟ ଆସିଛି ବୋଲି ସେ କହିଛନ୍ତି ।
ଏହି ୨୮ ଜଣିଆ ୟୁରୋପୀୟ ସାଂସଦ ଦଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲଙ୍କୁ ମଧ୍ୟ ଭେଟିଛନ୍ତି । ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ କୌଣସି ବିଦେଶୀ ପ୍ରତିନିଧିମଣ୍ଡଳର ଏହା ହେଉଛି ପ୍ରଥମ କଶ୍ମୀର ଗସ୍ତ ।