ସୋସିଆଲ ମିଡିଆରେ ଭାଇରାଲ ହେଲା ପାଇଲଟ୍‌ ଅଭିନନ୍ଦନଙ୍କ ନକଲି ଫଟୋ, ବିଜେପିରେ ଯୋଗ ଦେଇଥିବା ନେଇ କରାଯାଇଛି ମିଥ୍ୟା ପ୍ରଚାର

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏବେ ବୀର ପାଇଲଟ୍‌ ଅଭିନନ୍ଦନଙ୍କର ଏକ ନକଲି ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସେ ବିଜେପିର ଉତ୍ତରୀୟ ପକାଇଥିବା ଦେଖାଯାଇଛି । ତେବେ ଟୁଇଟ୍‌ର ଏବଂ ହ୍ଵାଟସଆପ୍‌ରେ ଅଭିନନ୍ଦନଙ୍କ ଏଭଳି ନକଲି ଫଟୋ ଭାଇରାଲ ହେବା ପରେ ସେ ବିଜେପିରେ ଯୋଗ ଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଏହି ଖବରକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏବେ ଫଟୋଟି ନକଲି ବୋଲି ଜଣା ପଡ଼ିଛି । ଫଟୋ ସହ ଖବର ମଧ୍ୟ ମିଛ ବୋଲି ସାମ୍ନାକୁ ଆସିଥିବା ବେଳେ ପାଇଲଟ୍‌ ଅଭିନନ୍ଦନ କୌଣସି ଦଳରେ ଯୋଗ ଦେଇ ନଥିବା ସ୍ପଷ୍ଟ ହୋଇଛି ।

ଏଭଳି ମିଥ୍ୟା ପ୍ରଚାର କରୁଥିବା ଲୋକଟି ହ୍ଵାଟ୍‌ସଆପ୍‌ ମାଧ୍ୟମରେ ମଧ୍ୟ ବିଭିନ୍ନ ଗ୍ରୁପ୍‌କୁ ଏଭଳି ଫଟୋ ପଠାଇ ପାଇଲଟ୍‌ ଅଭିନନ୍ଦନ ବିଜେପିରେ ଯୋଗ ଦେଇଥିବା ନେଇ ଲେଖି ପ୍ରଚାର କରୁଥିବା ଦେଖା ଯାଇଛି । ସେନା ବାହିନୀର ଜଣେ ଅବସରପ୍ରାପ୍ତ ଯବାନଙ୍କ ପାଖରେ ଏହି ମେସେଜ ପହଞ୍ଚିବା ପରେ ସେ ଟୁଇଟ୍‌ରରେ ଭାରତୀୟ ବାୟୁସେନାକୁ ଟ୍ୟାଗ୍‌ କରି ଏଭଳି ମିଥ୍ୟା ପ୍ରଚାର କରୁଥିବା ଲୋକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ସହ ସେନା ଯବାନଙ୍କୁ ନେଇ ରାଜନୀତି ନ କରାଯାଉ ବୋଲି ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର