ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର, ଭଙ୍ଗାଯାଉଛି ଅସ୍ଥାୟୀ ନିର୍ମାଣ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବିବାଦୀୟ ଅଂଚଳରୁ ଭାରତ ଓ ଚୀନ୍‌ ଏବେ ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦୁଇଟି ସର୍ବାଧିକ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଶେଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଉଭୟ ଦେଶ କେତେକ ଅସ୍ଥାୟୀ ନିର୍ମାଣକୁ ଭାଙ୍ଗି ଦେବାପାଇଁ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଏହା ସହିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିବ ବୋଲି କୁହାଯାଉଛି। ତେବେ ଚୀନ୍‌ ସର୍ବଦା ଷଡ଼ଯନ୍ତ୍ରପୂର୍ଣ୍ଣ ନୀତିରେ ଚାଲୁଥିବା ଏବଂ ଏହାର ରଣନୀତି ଆକ୍ରମଣାତ୍ମକ ରହୁଥିବାରୁ ଭାରତ ଏ ବାବଦରେ ଅତି ସତର୍କତାର ସହ ପଦକ୍ଷେପ ନେଉଛି। ଗୋଗ୍ରା ହଟ୍‌ସ୍ପ୍ରିଙ୍ଗ୍‌ ଏବଂ ପାଟ୍ରୋଲିଂ ପଏଣ୍ଟ୍‌-୧୫ରୁ ସେନା ପ୍ରତ୍ୟାହାର ପାଇଁ ଗତ ୮ ତାରିଖ ଦିନ ଭାରତ ଓ ଚୀନ୍‌ ଏକ ମିଳିତ ବିବୃତିରେ ଘୋଷଣା କରିଥିଲେ। ମେ ୨୦୨୦ରୁ ଏହି ଅଂଚଳରେ ଉଭୟ ପକ୍ଷର ସେନା ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ପ୍ରାୟ ୮ଟି ପର୍ଯ୍ୟାୟ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ସେନା ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଉଜ୍‌ବେକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ମିଳିତ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ଏଭଳି ପଦକ୍ଷେପ କୂଟନୈତିକ ମହଲରେ ବିଶେଷ ଗୁରୁତ୍ବ ବହନ କରୁଛି। ଚୀନ୍‌ ପୂର୍ବ ଲଦାଖରେ ଗତ ଦୁଇ ବର୍ଷ ମଧ୍ୟରେ କରିଥିବା ସମସ୍ତ ଅତିକ୍ରମଣ ଯୋଜନାକୁ ଭାରତ ପଣ୍ଡ କରିବା ସହ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପରେ ଚୀନ୍‌ ପଛକୁ ହଟିବାକୁ ବାଧ୍ୟ ହୋଇଛି । ଚୀନ୍‌ ଏହି ଅଞ୍ଚଳରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରି ଭାରତକୁ ଚାପରେ ରଖିବାକୁ ପ୍ରୟାସ କରିଆସିଛି ଏବଂ ଭାରତ ମଧ୍ୟ ଚୀନ୍‌କୁ କଡ଼ା ଜବାବ ଦେବା ସହ ବିଭିନ୍ନ ରେଂଜର କ୍ଷେପଣାସ୍ତ୍ର ମୁତୟନ କରିଛି। ଏବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପାଇଁ ଉଭୟ ଦେଶର ବରିଷ୍ଠ କମାଣ୍ଡରମାନେ ଗୁରୁତ୍ବାରୋପ କରିଛନ୍ତି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ୮ଟି ପର୍ଯ୍ୟାୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ହିଁ ଉତ୍ତେଜନା ହ୍ରାସ ନେଇ ସଫଳତା ମିଳିଥିଲା।

ସମ୍ବନ୍ଧିତ ଖବର