ଋଣ ପରିଶୋଧ ନିମନ୍ତେ ଟାଇପ୍‌ କରୁଛନ୍ତି ୭୨ ବର୍ଷୀୟ ମହିଳା: ଭିଡିଓ ଟୁଇଟ୍‌ କଲେ ବୀରେନ୍ଦ୍ର ସେଓ୍ଵାଗ୍‌

ଭୋପାଳ: ଗୁଜୁରାଣ ମେଣ୍ଟାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ଟାଇପ୍‌ କରୁଛନ୍ତି ଜଣେ ୭୨ ବର୍ଷୀୟ ମହିଳା। ତାଙ୍କ ଟାଇପିଙ୍ଗ୍‌ ସ୍ପିଡ୍‌ ଦେଖି ଯେ କେହି କାବା ହୋଇଯିବେ!

ଭାରତୀୟ କ୍ରିକେଟ୍‌ ଖେଳାଳି ବୀରେନ୍ଦ୍ର ସେଓ୍ଵାଗ୍‌ ଟୁଇଟର୍‌ରେ ଜୁନ୍‌ ୧୨ ତାରିଖ ଦିନ ଏହି ‘ସୁପର୍‌ଉମ୍ୟାନ୍‌’ଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି: ମୋ ଦୃଷ୍ଟିରେ ସେ ‘ସୁପର୍‌ଉମ୍ୟାନ୍‌’। ମଧ୍ୟ ପ୍ରଦେଶର ସେହୋର୍‌ରେ ସେ ବାସ କରନ୍ତି। ତାଙ୍କ ଠାରୁ ଯୁବକମାନେ ବହୁ କିଛି ଶିଖି ପାରିବେ। କେବଳ ସ୍ପିଡ୍‌ ନୁହେଁ, ଉଚ୍ଛ୍ୱାସ ମଧ୍ୟ। ଶିକ୍ଷା ହେଲା କୌଣସି କାମ ଛୋଟ ନୁହେଁ ଏବଂ ଶିଖିବା ଏବଂ କାମ କରିବା ନିମନ୍ତେ ବୟସ ଅନ୍ତରାୟ ନୁହେଁ। ପ୍ରଣାମ!

ଏ କଥା ଲକ୍ଷ୍ମୀ ବାଈ ନାମ୍ନୀ ସେ ମହିଳାଙ୍କୁ ପଚାରିବାରୁ ସେ କହନ୍ତି ଯେ ତାଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିବ। ଝିଅ ଦୁର୍ଘଟନାରେ ପଡ଼ିବା ପରେ ତାଙ୍କୁ ଋଣ କରିବାକୁ ପଡ଼ିଥିଲା।

ମୁଁ ଭିକ ମାଗି ପାରିବି ନାହିଁ। ଜିଲ୍ଲାପାଳ ରାଘବେନ୍ଦ୍ର ସିଂହ ଏବଂ ଏସ୍‌ଡିଏମ୍‌ ଭାବନା ବିଲମ୍ବେଙ୍କ ସହାୟତାରେ ମୁଁ ଏ କାମ ପାଇଛି। ଭଲ ଲାଗୁଛି ବୀରେନ୍ଦ୍ର ସେଓ୍ଵାଗ୍‌ ମୋ ଭିଡିଓ ସେୟାର୍‌ କରିଛନ୍ତି। ଋଣ ପରିଶୋଧ ଓ ସ୍ଥାୟୀ ଘର ଖଣ୍ଡେ ପାଇଁ ସହାୟତା ଆବଶ୍ୟକ କରୁଛି ବୋଲି ଲକ୍ଷ୍ମୀ ବାଈ କହନ୍ତି।

ସମ୍ବନ୍ଧିତ ଖବର