ଭୁବନେଶ୍ୱର: ମାତ୍ର ଜମି ଦୁଇଗୁଣ୍ଠ ପାଇଁ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ

ଭୁବନେଶ୍ୱର: ବାହାଘର ୩ ବର୍ଷ ପୁରୀ ନାହିଁ, ଶ୍ୱଶୁର ଘରୁ ୨ ଗୁଣ୍ଠ ଜମି ଆଣିବା ପାଇଁ ପତ୍ନୀଙ୍କୁ ବାଧ୍ୟ କଲା ସ୍ୱାମୀ। ମାତ୍ର ପତ୍ନୀ ଏଥିରେ ରାଜି ହେଲେ ନାହିଁ। ଶେଷରେ କ୍ରୋଧାନ୍ଧ ସ୍ୱାମୀ ଏକ ଲୁହା ରଡ୍‌ରେ ଅତି ଅମାନୁଷିକ ଭାବେ ପତ୍ନୀଙ୍କ ମୁଣ୍ଡକୁ ପିଟି ଦେଲେ। ପତ୍ନୀ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ି ଯିବା ପରେ ଅତି ତରତରରେ ତାଙ୍କୁ ଧରି ଡାକ୍ତରଖାନା ଧାଇଁଲେ ସ୍ୱାମୀ। ମାତ୍ର ଚିକିତ୍ସିତ ଅବସ୍ଥାରେ ପତ୍ନୀଙ୍କର ମୃତ୍ୟୁ ଘଟିିଛି। ଏପରି ଏକ ଅଭାବନୀ ଘଟଣା ଘଟିଛି ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମରେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୫ ମସିହା ଜାନୁଆରି ୪ ତାରିଖ ଦିନ ବାଲିଅନ୍ତା ଥାନା ଅନ୍ତର୍ଗତ ତଳଘରପାଟଣା ଗାଁର ଦିପ୍ତୀ ରଣା(୨୫ ବର୍ଷ)ଙ୍କର ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମର ଅଜିତ ରଣାଙ୍କ ସହିତ ବାହାଘର ହୋଇଥିଲା। ଅଜିତଙ୍କର ବାଙ୍କୁଆଳ ଠାରେ ଏକ ସିମେଣ୍ଟ ନନ୍ଦ ଫ୍ରାକ୍ଟ୍ରି ଥିବା ବେଳେ ସେ ବାଲିଅନ୍ତାଠାରେ ଥିବା ତାଙ୍କ ବାପାଙ୍କ ଜମିରୁ ଦୁଇଗୁଣ୍ଠ ଜମି ଆଣିବାକୁ ଅଜିତ ପତ୍ନୀ ଦୀପ୍ତିଙ୍କ ଉପରେ ଚାପ ପକାଉଥିଲେ। ଏହି ଜମିରେସେ ଆଉ ଗୋଟିଏ ଫ୍ୟାକ୍ଟ୍ରି ଖୋଲିବେ ବୋଲି ଚାହୁଁଥିଲେ। ମାତ୍ର ଦୀପ୍ତି ବାପଘରୁ ଜମି ମାଗି ଆଣିବେ ନାହିଁ ବୋଲି କହିବାରୁ ଏହାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଜିତ ଦୀପ୍ତିଙ୍କ ମୁଣ୍ଡକୁ ପିଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସ୍ୱାମୀ ଅଜିତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର