ମହିଳାଙ୍କ ହାତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକାଉଣ୍ଟ୍‌

ଅନ୍ତର୍ଜାତୀୟ ମହିଳା ଦିବସରେ ୭ ମହିଳା ବର୍ଣ୍ଣନା କଲେ ଅନୁଭୂତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜର ସମସ୍ତ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ସାଇନ୍‌ ଅଫ୍‌ କରିଥିଲା ଏବଂ ଏହି ଆକାଉଣ୍ଟଗୁଡ଼ିକର ଦାୟିତ୍ବ ୭ ଜଣ ମହିଳାଙ୍କୁ ପ୍ରଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଏହି ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ୍‌ରେ ଆଜି ଦିନ ତମାମ ନିଜ ନିଜର ଜୀବନଯାତ୍ରାର କାହାଣୀ ବର୍ଣ୍ଣନା କରିବା ସହ ଲୋକଙ୍କ ପ୍ରଶ୍ନର ଜବାବ ମଧ୍ୟ ରଖିଥିଲେ। ସାଇନ୍‌ ଅଫ୍‌ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି ବିଶ୍ବ ମହିଳା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆମ ନାରୀଶକ୍ତିର ଉଚ୍ଛ୍ୱାସ ଏବଂ ସଫଳତାକୁ ଆମେ ଅଭିବାଦନ ଜଣାଉଛୁ। ସାଇନ୍‌ ଅଫ୍‌ କରିବି ବୋଲି ମୁଁ କିଛି ଦିନ ପୂର୍ବେ କହିଥିଲି। ଏବେ ସାଇନ୍‌ ଅଫ୍‌ କରୁଛି। ମୋ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଆଜି ଦିନ ତମାମ ସାତଜଣ ସଫଳ ମହିଳା ସେମାନଙ୍କର ଜୀବନ ଯାତ୍ରା କଥା ସେୟାର୍‌ କରିବେ। ଆପଣମାନଙ୍କ ସହ ଭାବ ବିନିମୟ ବି କରି ପାରନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ସାଇନ୍‌ ଅଫ୍‌ କରିବା ପରେ ପ୍ରଥମେ ତାଙ୍କର ଟ୍ବିଟର୍‌କୁ ପରିଚାଳନା କରିଥିଲେ ‘ଫୁଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ସ୍ନେହା ମୋହନଦୋସ। ସେ ଟ୍ବିଟ୍‌ କରିଛନ୍ତି, ଉତ୍ତମ ଭାବନା ନିମନ୍ତେ ଖାଦ୍ୟର ଆବଶ୍ୟକତା ରହିଛି। ଦେଶରୁ କ୍ଷୁଧା ନିବାରଣ ନିମନ୍ତେ କେତେଜଣ ସ୍ବେଚ୍ଛାସେବୀଙ୍କୁ ନେଇ ସେ ତାଙ୍କର ଅଭିଯାନ ଆରମ୍ଭ କରିଥିଲେ। ଏବେ ଗରିବମାନଙ୍କ ଉନ୍ନତ ଭବିଷ୍ୟତ ନିମନ୍ତେ କାର୍ଯ୍ୟ କରିବାର ସମୟ ଆସିଛି। ନିଜର ପରିଚୟ ଥିବା ଏକ ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, ସେ ତାଙ୍କ ମା’ଙ୍କ ଠାରୁ ପ୍ରେରଣା ପାଇ ଏଭଳି କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ମା’ ତାଙ୍କୁ ଗରିବ ନିରାଶ୍ରୟମାନଙ୍କୁ ଖୁଆଇବା ଅଭ୍ୟାସରେ ପକାଇଥିଲେ। ସେଥିପାଇଁ ସେ ‘ଫୁଡ୍‌ବ୍ୟାଙ୍କ୍‌ ଇଣ୍ଡିଆ’ ନାମକ ଅନୁଷ୍ଠାନ ଆରମ୍ଭ କରିଛନ୍ତି ବୋଲି ସ୍ନେହା ମୋହନଦୋସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକାଉଣ୍ଟରେ ପୋଷ୍ଟ୍‌ କରିଛନ୍ତି। ସେହିଭଳି ମାଳବିକା ଆୟାର ନାମକ ଅନ୍ୟ ଜଣେ ସଫଳ ମହିଳା ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ନିଜର ଜୀବନ ଯାତ୍ରା କଥା ଉଲ୍ଲେଖ କରିଛନ୍ତି। ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା, ସେ ତାଙ୍କର ହାତ ଗୋଡ଼ ଏକ ବିସ୍ଫୋରଣରେ ହରାଇଥିଲେ। ଏହା ସତ୍ତ୍ବେ ନିଜର କଠିନ ପରିଶ୍ରମ ପାଇଁ ସଫଳତା ତାଙ୍କୁ ଅନୁସରଣ କରିଛି ବୋଲି ସେ ଲେଖିଛନ୍ତି। ଏହି ସଫଳ ମହିଳାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ୍‌ ଆକାଉଣ୍ଟ ବ୍ୟବହାର କରିଛନ୍ତି।

କାଶ୍ମୀରର ସଫଳ ମହିଳା ଆରିଫା ଆଜି ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜ ଜୀବନଯାତ୍ରାର କାହାଣୀ ବର୍ଣ୍ଣନା କରିଛନ୍ତି। ଜଣେ ସାଧାରଣ ଗରିବ ପରିବାରରୁ ଆସିଥିବା ଆରିଫା ନିଜର ଅଧ୍ୟବସାୟ ବଳରେ ଦେଶର ଜଣେ ସଫଳ ହସ୍ତଶିଳ୍ପ ଉଦ୍ୟୋଗୀ ଭାବେ ସୁନାମ ଅର୍ଜନ କରିପାରିଛନ୍ତି ଏବଂ ଶତାଧିକ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିଛନ୍ତି। କଳ୍ପନା ରମେଶ ନାମକ ଅନ୍ୟ ଜଣେ ସଫଳ ମହିଳା ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ନିଜ ସଫଳତାର ଯାତ୍ରାନୁଭୂତି ବର୍ଣ୍ଣନା କରିଛନ୍ତି। ଜଳ ସଂରକ୍ଷଣ ଓ ଜଳର ଉତ୍ତମ ପରିଚାଳନା ଉପରେ କାର୍ଯ୍ୟ କରି ଜଣେ ଜଳଯୋଦ୍ଧା ଭାବେ କଳ୍ପନା ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଉଦ୍ୟମରେ ଆଜି ବିଭିନ୍ନ ପରିତ୍ୟକ୍ତ ଜଳ ଉତ୍ସ ଜଳପୂର୍ଣ୍ଣ ହୋଇପାରିଛି। ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିବା ଏହି ମହିଳାଙ୍କ ଜୀବନକାହାଣୀ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧିତ ଖବର