ଶପଥ ନେଲେ ୟେଦୁରପ୍ପା

ନୂଆଦିଲ୍ଲୀ: ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ଆଜି ବିଜେପି ବିଧାୟକ ଦଳ ନେତା ବି.ଏସ୍‌.ୟେଦୁରପ୍ପା କର୍ଣ୍ଣାଟକର ୩୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବାଜୁ ଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ଶପଥ ଗ୍ରହଣ ଉତ୍ସବରୁ ଦୂରେଇ ରହିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଡ.ଭି.ସଦାନନ୍ଦ ଗୌଡା,ପ୍ରକାଶ ଜାଭଡେକର ଓ ବିଜେପିର ସାଧାରଣ ସମ୍ପାଦକ ପି.ମୂରଲୀଧର ରାଓ ଉତ୍ସବରେ ସାମିଲ ହୋଇଥିଲେ। ୟେଦୁରପ୍ପାଙ୍କ ଶପଥଗ୍ରହଣରେ ରୋକ ଲାଗାଇବା ପାଇଁ କଂଗ୍ରେସ ଓ ଜେଡିଏସ୍‌ର ଆବେଦନ ପରେ ସାରା ରାତି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ତେବେ ସୁପ୍ରିମ କୋର୍ଟ ଶପଥ ଗ୍ରହଣରେ ରହିତାଦେଶ ଲଗାଇପାରିବେନି ବୋଲି କହିଥିଲେ। ତେବେ ଏହି ଶପଥ ଗ୍ରହଣକୁ ବିରୋଧ କରି ବିଧାନସୌଧ ବାହାରେ ଜେଡିଏସ୍‌ ଓ କଂଗ୍ରେସର ନେତାମାନେ ଧାରଣା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ୟେଦୁରପ୍ପାଙ୍କ ଜଣିକିଆ କ୍ୟାବିନେଟ ରାଜ୍ୟରୁ କୃଷିଋଣ ଛାଡ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଆଜି ସନ୍ଧ୍ୟାରେ ୟେଦୁରପ୍ପା ଦଳୀୟ ବିଧାୟକ ଓ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ତାଙ୍କୁ ୧୫ ଦିନର ସମୟ ଆବଶ୍ୟକ ନାହିଁ। ରେସର୍ଟରେ ଥାଇ ମାନସିକ ଓ ଶାରୀରିକ ନିର୍ଯାତନା ଭୋଗୁଥିବା କଂଗ୍ରେସ ବିଧାୟକ ହିଁ ତାଙ୍କ ସପକ୍ଷରେ ଭୋଟ ଦେବେ।

ରାହୁ, ମଙ୍ଗଳର ପ୍ରକୋପ: ଭାଙ୍ଗିଯିବ ସରକାର!
ନୂଆଦିଲ୍ଲୀ: ଯେଉଁ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ସତ ପ୍ରମାଣିିତ ହୋଇ ବିଜେପି ୧୦୪ଟି ଆସନ ଦଖଲ କଲା, ସେହି ଜ୍ୟୋାତିଷଙ୍କ ବର୍ତମାନର ଭବିଷ୍ୟବାଣୀକୁ ନେଇ ଚିନ୍ତାରେ ପଡିଯାଇଛି ବିଜେପି। ୟେଦୁରପ୍ପାଙ୍କ ଜନ୍ମ କୁଣ୍ଡଳୀରେ ଶନି ଚଳନ ଓ ଶପଥ ଗ୍ରହଣ ଉତ୍ସବ ସମୟରେ ରାହୁ ଓ ମଙ୍ଗଳର ପ୍ରକୋପ ହେତୁ ରାଜ୍ୟରେ ବିଜେପି ସରକାର ସଂଖ୍ୟା ଗରିଷ୍ଠତା ପାଇବାରେ ଅସଫଳ ହେବ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନୁରୂପ ଗ୍ରହଦୋଷ ପାଇଁ ୟେଦୁରପ୍ପା ୨୦୦୭ ମସିହାରେ ଶପଥ ଗ୍ରହଣ କରିବାର ମାତ୍ର ୭ ଦିନ ମଧ୍ୟରେ ତାଙ୍କ ସରକାର ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ହାସଲ କରି ନପାରିବାରୁ ସରକାର ଭାଙ୍ଗି ଯାଇଥିଲା। ଏହା ପରେ ୨୦୦୮ରେ ଯେତେବେଳେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କ ଉପରେ ଭ୍ରଷ୍ଟାଚାର ଓ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଆସିଥିଲା। ୨୦୧୧ରେ ୟେଦୁରପ୍ପାଙ୍କୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ଗାଦି ମଧ୍ୟ ଛାଡିବାକୁ ପଡ଼ିଥିଲା। ସେହି ବର୍ଷ ହିଁ ସେ ୨୩ ଦିନ ପାଇଁ ଜେଲ ଯାଇଥିଲେ। ଏହି ସବୁ ଘଟଣାକ୍ରମ ପଛରେ ୟେଦୁରପ୍ପାଙ୍କ ଜନ୍ମ କୁଣ୍ଡଳୀ ହିଁ ଦାୟୀ ବୋଲି କୁହାଯାଇଛି। ବର୍ତମାନ ତାଙ୍କ କୁଣ୍ଡଳୀରେ ଚନ୍ଦ୍ରରେ ଶନିଦଶା ଭୋଗ ହେଉଛି। କେବଳ ୟେଦୁରପ୍ପା ନୁହେଁ ବରଂ କେନ୍ଦ୍ର ସରକାରଙ୍କ ମକର ରାଶିରେ ମଙ୍ଗଳ ଓ କେତୁର ଚଳନ ହେତୁ ଆଗାମୀ ୩୩ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଧକ୍କା ମିଳିବାର ସଙ୍କେତ ଦେଖାଦେଇଥିବା କିଛି ଜ୍ୟୋତିଷ କହିଛନ୍ତି।

ସମ୍ବନ୍ଧିତ ଖବର